ସରିଲା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍; ରାଜ୍ୟକୁ ଭ୍ୟାକ୍ସିନ୍ ଆସିବା ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀକୁ ମାତ୍ ଦେବାର ଏକମାତ୍ର ଉପାୟ ହେଉଛି ଟିକା। ଲୋକଙ୍କୁ ଏହି ଘାତକ ସଂକ୍ରମଣରୁ କେବଳ ଟିକା ହିଁ ରକ୍ଷା କରିପାରିବ। କିନ୍ତୁ ଏତେ ବଡ଼ ଦେଶରେ ସମସ୍ତଙ୍କୁ ଟିକା ଦେବା ସହଜ କଥା ନୁହେଁ। ତେଣୁ ପ୍ରକୃତ ଟିକାକରଣ ବେଳେ ଯେମିତି କିଛି ଅସୁବିଧା ନ ହୁଏ, ସେଥିପାଇଁ ତାର ପୂର୍ବାଭ୍ୟାସ କରାଯାଇଛି। ଆଗରୁ ଥରେ ଏମିତି ରିହର୍ସଲ କରାଯାଇଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍ କରାଯାଇଛି।

ପ୍ରଥମ ଥର ଭଳି ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍‌ ବି ସୁରୁଖୁରୁରେ ହୋଇଛି। ରାଜ୍ୟର ସମସ୍ତ PHC, CHC ଓ ମେଡିକାଲ କଲେଜ ସହ ଘରୋଇ ହସ୍ପିଟାଲ ଏପରି ୧୧୦ଟି ସାଇଟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍ କରାଯାଇଥିଲା। ଟିକାକରଣର ଡ୍ରାଏ ରନ୍‌ର ଦୃଶ୍ୟ ଥିଲା ଏମିତି…

ଟିକାକରଣ କେନ୍ଦ୍ରକୁ ଲୋକେ ଆସିବା ପରେ ପ୍ରଥମେ ୱେଟିଂ ରୁମ୍‌ରେ ଅପେକ୍ଷା କରୁଥିଲେ। ତା ପରେ ପୋର୍ଟାଲରେ ନାଁ ଯାଞ୍ଚ କରାଯାଉଥିଲା। ଆଉ ଜଣକ ପରେ ଜଣକୁ ଟିକା ଦିଆ ଯାଉଥିଲା। ପ୍ରତି ସାଇଟରେ ୨୫ ଜଣଙ୍କୁ ଭ୍ୟାକ୍ସିନେସନ କରାଯାଉଥିଲା। ପୁଣି ସେଠାରୁ ଅନ୍ୟ ଏକ ରୁମ୍‌ରେ ଅବଜରଭେସନ ହେଉଥିଲା। ଯଦି କିଛି ପାର୍ଶ୍ୱ ପ୍ରତିକ୍ରିୟା ହୁଏ, ସାଙ୍ଗେ ସାଙ୍ଗେ ଚିକିତ୍ସା କରାଯାଉଥିଲା। ପାର୍ଶ୍ୱ ପ୍ରତିକ୍ରିୟା ନ ଥିଲେ ସେମାନେ ଘରକୁ ଆରାମରେ ଫେରି ଯାଉଥିଲେ। ଏମତି ଥିଲା କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି।

ତେବେ ଆଜିର ଡ୍ରାଏ ରନ୍‌କୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ” ଡ୍ରାଏ ରନ୍‌ରେ ମୁଖ୍ୟ ହେଲା କୋଭିଡ୍‌ ପୋର୍ଟାଲ୍‌ ଠିକ୍‌ ଭାବେ କାର୍ଯ୍ୟ କରିପାରୁଛି କି ନାହିଁ ତାହା ଦେଖିବା କଥା। ଏହା ବାଦ୍‌ ରହିବାର ଯେଉଁ କକ୍ଷ ରହିଛି ତାହା ଠିକ୍‌ ଭାବେ କାର୍ଯ୍ୟ କରୁଛି କି ନାହିଁ ତାହା ତଦାରଖ କରିବା ହେଲା ମୁଖ୍ୟ। ଗୋଟେ ଷ୍ଟେଟ୍‌ ଭ୍ୟାକ୍ସିନ୍‌ ଷ୍ଟୋର୍ ଅଛି, ୯ଟି ରିଜିଓନାଲ ଷ୍ଟୋର ଅଛି ଆଉ ୩୨ଟି ଡିଷ୍ଟ୍ରିକ୍ଟ ଭ୍ୟାକ୍ସିନ୍ ଷ୍ଟୋର୍ ଅଛି । ତେଣୁ କୌଣସି ଅସୁବିଧା ନାହିଁ।”

ତେବେ ଖୁବ୍‌ଶୀଘ୍ର କରୋନା ଟିକା ଆସିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ଏ ନେଇ ସେ କହିଛନ୍ତି ” ମୁଁ ନିର୍ଦ୍ଦିଷ୍ଟ ଭାବରେ କହିପାରିବି ନାହିଁ। ତେବେ ଫେବ୍ରୁଆରୀ ପ୍ରଥମ ସପ୍ତାହ ମଧ୍ୟରେ ଟିକା ଆସିପାରେ ବୋଲି ମୋର ଆଶା।”

ତେବେ ଟିକାକରଣକୁ ନେଇ କେତେକ ଆପ୍ ଚର୍ଚ୍ଚାକୁ ଆସିଥିବା ବେଳେ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି ଯେ, ଏବେ କେବଳ ସରକାରଙ୍କ ପକ୍ଷରୁ ହିଁ ଟିକାକରଣ ବ୍ୟବସ୍ଥା ଅଛି। ତେଣୁ କୌଣସି ଫେକ୍ ଆପ୍ ଉପରେ ବିଶ୍ୱାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ କୌଣସି ଡୁପ୍ଲିକେଟ୍ ଆପ୍ ଉପରେ ବିଶ୍ୱାସ କରନ୍ତୁ ନାହିଁ। ନହେଲେ ନିଜେ ଠକାମୀରେ ପଡ଼ିବେ। ବର୍ତ୍ତମାନ କରୋନା ଟିକା ବଜାରରେ ମିଳିବା ସୁବିଧା ଏପର୍ଯ୍ୟନ୍ତ ନାହିଁ। ସରକାର ଟିକା ମାଗଣାରେ ଦେବେ ବୋଲି ସିବିକେ ମହାନ୍ତି କହିଛନ୍ତି।

କେବଳ ଓଡ଼ିଶା ନୁହେଁ ଆଜି ୩୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୩୬ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍ ହୋଇଥିଲା। ଟିକା କେଉଁଠୁ ଆସୁଛି ଦେଖିବା ଠାରୁ ଆରମ୍ଭ କରି ଟିକା ପ୍ରଦାନ ଓ ହିତାଧିକାରୀ ଘରକୁ ଫେରିବା ଯାଏ, ସବୁ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ଚେନ୍ନାଇର ଜେନେରାଲ ହସ୍ପିଟାଲରେ ନିଜେ ଏହି ପ୍ରକ୍ରିୟା ଦେଖିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ।

ଏହା ଆଗରୁ ଗତ ୨ ତାରିଖରେ ସାରା ଦେଶରେ କରୋନା ଟିକାକରଣର ପ୍ରଥମ ପର୍ଯ୍ୟାୟ ଡ୍ରାଏ ରନ୍ ହୋଇଥିଲା। ପ୍ରକୃତ ଟିକାକରଣ ବେଳେ ପୂର୍ବାଞ୍ଚଳର ନୋଡାଲ ସେଣ୍ଟର ଭାବେ କାମ କରିବ କୋଲକାତା। ତେବେ ଓଡ଼ିଶାକୁ ସିଧା ଟିକା କମ୍ପାନିରୁ ଭ୍ୟାକ୍ସିନ ଆସିବ ବୋଲି ଜଣାପଡ଼ିଛି।

You might also like