ଗୃହୀତ ହେଲା ବ୍ୟୟ ମଞ୍ଜୁରୀ ବିଲ୍
ଭୁବନେଶ୍ୱର: ବିଧାନସଭାରେ ଗୃହୀତ ହେଲା ବ୍ୟୟ ମଞ୍ଜୁରୀ ବିଲ୍ । ଆଜି ସର୍ବସମ୍ମତି କ୍ରମେ ବ୍ୟୟମଂଜୁରୀ ବିଲ୍ ପାସ୍ ହୋଇଥିବା ସୂଚନା ମିଳିଛି। ଏ ନେଇ ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ । ବିଲ୍ ପାସ୍ ପରେ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ହୋଇଥିବା ଜଣାପଡିଛି।
କରୋନା ଯୋଗୁଁ ଆଜି ବିଧାନସଭା ବଜେଟ୍ ଅଧିବେଶନ ବିଧାନସୌଧ ବଦଳରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବସିଥିଲା । ଏହା ପୂର୍ବରୁ ଲୋକସଭା ଭବନର ସମ୍ମିଳନୀ କକ୍ଷକୁ ସାନିଟାଇଜ କରାଯାଇଥିଲା। କରୋନା ଯୋଗୁଁ ଅଧିକାଂଶ ବିଧାୟକ, ମନ୍ତ୍ରୀ ମାସ୍କ ପିନ୍ଧି ଆସିଥିଲେ।
ସର୍ବସମ୍ମତି କ୍ରମେ ୧ ଲକ୍ଷ ୫୫ ହଜାର ୯୬୩ କୋଟି ଟଙ୍କାର ବ୍ୟୟମଂଜୁରୀ ବିଲ୍ ପାସ୍ ହୋଇଥିବା ସୂଚନା ମିଳିଛି। ବ୍ୟୟ ମଞ୍ଜୁରୀ ବିଲ୍ ପାସ୍ ହେବା ସମୟରେ ବିରୋଧୀ ଦଳଗୁଡିକ ରାଜ୍ୟ ସରକାରଙ୍କ କରୋନା ମୁକାବିଲା ଓ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ସର୍ବଦଳୀୟ ବୈଠକ ଡାକିବାକୁ ପ୍ରସ୍ତାବ ଦେଇଛନ୍ତି । ଏଥିସହ ଅଧିକରୁ ଅଧିକ କରୋନା ପରୀକ୍ଷା କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି।
ସୂଚନାଥାଉ କି, ଆଜି ବିଧାନସଭାକୁ ଆସିବାବେଳେ କିଛି କିଛି ବିଧାୟକ ନିଜେ ଗାଡି ଚଳାଇ ଆସିଥିଲେ । ସମସ୍ତେ ଭିତରକୁ ଯିବା ପୂର୍ବରୁ ଗେଟ୍ରେ ହାତକୁ ସାନିଟାଇଜରରେ ଧୋଇ ଭିତରକୁ ଯାଉଥିଲେ।
ସୂଚନାଥାଉ କି, ବ୍ୟୟମଞ୍ଜୁରୀ ବିଲ୍ ପାଇଁ ଆଜି ସ୍ୱତନ୍ତ୍ର ଭାବେ ଦିନିକିଆ ଅଧିବେଶନ ବସିଥିଲା।