୧୦ ଦିନ ଭିତରେ ଭୀମସାରରେ ଖୋଲିବ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ-ମୁଖ୍ୟ ଶାସନ ସଚିବ

ସୁନ୍ଦରଗଡ଼: ସୁନ୍ଦରଗଡରେ ବେକାବୁ ହେଉଛି କରୋନା। ରାଜ୍ୟ କରୋନା ସଂକ୍ରମଣ ତାଲିକାର ଉପରେ ରହୁଛି ଏହି ଜିଲ୍ଲା। କଟକଣା ସତ୍ତ୍ୱେ ନିୟନ୍ତ୍ରଣ କରି ହେଉନି। ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ରେ ପୁଣି ଆରମ୍ଭ ହୋଇଛି ଟିଏମ୍‌ସି ବ୍ୟବସ୍ଥା। ବାଲିଶଙ୍କରା ବ୍ଲକ ରାଉଲଡେଗାରେ ଖୋଲିଛି ଏହି ଟିଏମ୍‌ସି ସେଣ୍ଟର।  ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ ଏହି କେନ୍ଦ୍ରରେ ରଖାଯିବ। ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି, ଯେଉଁମାନେ କି ଆରଟିପିସିଆର ଟେଷ୍ଟ ନେଗେଟିଭ୍ ରିପୋର୍ଟ କିମ୍ବା ଦୁଇଟି କୋଭିଡ୍ ଟିକା ନେଇଥିବା ସାର୍ଟିଫିକେଟ ଦେଖାଇ ନପାରିବେ,ସେମାନଙ୍କୁ ଏଠାରେ ରଖାଯିବ।

ଏହି ଟିଏମସି କେନ୍ଦ୍ରରେ ୭ ଦି ନପାଇଁ କ୍ୱାରେଣ୍ଟିନ୍‌ରେ ରଖାଯିବ । ଟିଏମସିରେ  ରହିବା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।  ଏଥିନିମନ୍ତେ ରହିବା, ପାଣି, ବିଦ୍ୟୁତ୍‌, ଶୌଚାଳୟ ବ୍ୟବସ୍ଥା କରାଯାଇଛି। ଏହାର ତଦାରଖ ଦାୟିତ୍ୱ ସ୍ଥାନୀୟ ସରପଞ୍ଚଙ୍କ ଉପରେ ନ୍ୟସ୍ତ କରାଯାଇଛି।

ଦ୍ୱିତୀୟ କୋଭିଡ୍ ହସ୍ପିଟାଲରେ ୨୫୦ଟି ସାଧାରଣ ବେଡ୍ ଓ ୫୦ଟି ICU ।  ପୂର୍ବର ଥିବା କୋଭିଡ୍ ହସ୍ପିଟାଲର ବେଡ୍ ସଂଖ୍ୟା ୨୫୦କୁ ବଢ଼ାଯିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର।  ଆଜି ବୁର୍ଲା ଭୀମସାରରେ ସମ୍ବଲପୁର, ଝାରସୁଗୁଡା ଏବଂ ବରଗଡ ଜିଲ୍ଲାର କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ।

କୋଭିଡ ସ୍ଥିତିକୁ ଦେଖି ଝାରସୁଗୁଡ଼ା ଓ ବରଗଡ଼ରେ ଥିବା କୋଭିଡ ମେଡିକାଲ ଗୁଡିକରେ ଚିକିତ୍ସା ଲାଗି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁନ୍ଦରଗଡ଼ରେ ଥିବା NTPC ମେଡିକାଲରେ କୋଭିଡ ମୁକାବିଲା ଲାଗି ୪୦୦ବେଡ ପ୍ରସ୍ତୁତ ରହିଛି । ଏହାବ୍ୟତୀତ ରାଉରକେଲାରେ କୋଭିଡ ନିୟମକୁ କଡ଼ାକଡ଼ି କରାଯିବା ସହ ସ୍ପେଶାଲ ଏନଫୋର୍ସ ମେଣ୍ଟ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ରାଉରକେଲାରେ ଭିଡ଼ ନିୟନ୍ତ୍ରଣ ସହ ସମସ୍ତଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଛତିଶଗଡ ଓ ଝାଡଖଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ତାକୁ ନଜରରେ ରଖି ସମସ୍ତ ପ୍ରକାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ସ୍ୱାସ୍ଥ୍ୟ ସଚିବ ଓ ଡିଏମଇଟି ମଧ୍ୟ ମୁଖ୍ୟ ସଚିବଙ୍କ ସହ ଏହି ସମୀକ୍ଷାରେ ସାମିଲ ହୋଇଥିଲେ । ଛତିଶଗଡ ଓ ଝାଡଖଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ତାକୁ ଦୃଷ୍ଟିରେ ରଖି ସରକାର ବ୍ୟବସ୍ଥା କରୁଥିବା ମୁଖ୍ୟ ସଚିବ କହିଛନ୍ତି।

ସେହପରି ଭୁବନେଶ୍ୱରର ସ୍ଥିତି ଦେଖି ଆଜିଠାରୁ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ ଖୋଲିବା ବିଏମସି ସୂଚନା ଦେଇଛି । ଆଇସିୟୁ ସହ ମୋଟ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହେବ । ସେହିପରି ସମ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା ୨୫୦ରୁ ୫ଶହକୁ ବୃଦ୍ଧି କରାଯାଇଛି । ଅନ୍ୟପଟେ ପଟିଆରେ ୬୦ ଓ ଡୁମଡୁମାରେ ୪୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ହୋଇଛି ନିଆଯାଇଛି।

ସୂଚନାଥାଉ କି, ଆଜି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ପାର୍‌ କରିଛି। ୨୪ ଘଣ୍ଟାରେ ରାଜ୍ୟରେ ୨,୨୬୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୫୫,୩୫୩ରେ ପହଞ୍ଚିଛି। ଆକ୍ଟିଭ୍‌ କେସ୍-୧୨,୨୪୪ ଥିବାବେଳେ ୩ ଲକ୍ଷ ୪୧ ହଜାର ୧୨୩ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି।

 

 

You might also like