କମିଲା ବିପିୟୁଟି କୁଳପତିଙ୍କ କାର୍ଯ୍ୟକାଳ ଅବଧି

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଆଇନ-୨୦୦୨ର ସଂଶୋଧନ କରାଯାଇଛି। ଏନେଇ ରାଜ୍ୟ କ୍ୟାବିନେଟରେ ମୋହର ବାଜିଛି । ରାଜ୍ୟର ଅନ୍ୟାନ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା ସହ ସମାନତା ଆଣିବା ନିମନ୍ତେ ବିପିୟୁଟି କୁଳପତିଙ୍କ କାର୍ଯ୍ୟକାଳ ୫ ବର୍ଷ ପରିବର୍ତ୍ତେ ଏଣିକି ୪ ବର୍ଷ କରାଯାଇଛି।

ସେହିପରି ଛାତ୍ରଛାତ୍ରୀ ବିଶୃଙ୍ଖଳା ନିୟନ୍ତ୍ରଣ ନିମନ୍ତେ କୁଳପତିଙ୍କ ଦ୍ୱାରା ଜଣେ ପ୍ରଫେସରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ସଦସ୍ୟ ବିଶିଷ୍ଟ ଅନୁଶାସନ କମିଟି ଗଠନ ନିମନ୍ତେ ପ୍ରସ୍ତାବ ରହିଛି । ବିପିୟୁଟିର କୁଳସଚିବ ପଦବୀ ଓଡ଼ିଶା ପ୍ରଶାସନିକ ସେବାର ଯୁଗ୍ମ ଶାସନ ସଚିବ ପାହ୍ୟାର ଅଧିକାରୀଙ୍କ ଦ୍ୱାରା ପୂରଣ କରାଯିବ।

ଏପଟେ ବିଶ୍ୱବିଦ୍ୟାଳୟର ବିତ୍ତ ଅଧିକାରୀ ପଦବୀ ଓଡ଼ିଶା ଅର୍ଥ ସେବାର ଯୁଗ୍ମ ଶାସନ ସଚିବ ପାହ୍ୟାର ଅଧିକାରୀଙ୍କ ଦ୍ୱାରା ପୂରଣ କରିବା ନିମନ୍ତେ ରହିଥିବା ପ୍ରସ୍ତାବ ଉପରେ ମୋହର ବାଜିଛି । ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ନିମନ୍ତେ କୁଳାଧିପତି କିମ୍ବା କୁଳପତି ଦ୍ୱାରା ଚୟନ କମିଟି ଗଠନ ସରକାରଙ୍କ ପୂର୍ବଅନୁମୋଦନ ସହ କରାଯିବାର ପ୍ରସ୍ତାବ ରହିଛି।

ଏସବୁ ସହ କାଲି ୨୭ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଂଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସେହିପରି ଶିଳ୍ପ ବିଭାଗଠାରୁ ହସ୍ତଶିଳ୍ପକୁ ଅଲଗା କରି ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ସହ ମିଶ୍ରଣ କରାଯିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ହସ୍ତଶିଳ୍ପ କ୍ଷେତ୍ର ନିମନ୍ତେ ୫୫୨ଟି ବିଭିନ୍ନ ପଦପଦବୀ ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ କରାଯାଇ ଏମଏସଏମଇ ବିଭାଗଠାରୁ ଅଲଗା କରାଯାଇଛି। ଏହି କର୍ମଚାରୀମାନେ ଉଭୟ ହସ୍ତଶିଳ୍ପ ଓ ଏମଏସଏମଇ ବିଭାଗ ପାଇଁ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କର ଚାକିରିର ନିୟନ୍ତ୍ରଣ ଏମଏସଏମଇ ବିଭାଗ ଅଧୀନରେ ରହିଥିଲା। ଏହି ଅସୁବିଧାକୁ ଦୂର କରିବା ପାଇଁ ହସ୍ତଶିଳ୍ପ ପାଇଁ ସ୍ୱତନ୍ତ୍ର କ୍ୟାଡ଼ର ଯଥା ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧ ଓ ଓଡ଼ିଶା ଅଧସ୍ତନ ହସ୍ତଶିଳ୍ପ ସେବା ନିୟମ-୨୦୨୧ ସୃଷ୍ଟି କରିବା ପ୍ରସ୍ତାବ ସରକାରଙ୍କ ବିଚାରଧୀନ ଥିଲା। ଏବେ ରାଜ୍ୟ ସରକାର ଏହି ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧ ଘୋଷଣା କରିଛନ୍ତି।

ସେହିପରି କନ୍ଧମାଳ ଜିଲ୍ଲାର ଟିକାବାଲି ଓ ବାଲିଗୁଡ଼ା ବ୍ଲକର ମୋଟ ୩୨୯ଟି ଗାଁର ୧ଲକ୍ଷ ୫ହଜାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୧୮୫.୯୨କୋଟି ଟଙ୍କାର ୨ଟି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯିବ। ଏହି ଦୁଇ ପ୍ରକଳ୍ପର ଟେଣ୍ଡର ମୁମ୍ବାଇସ୍ଥିତ ଜେଏମସି ପ୍ରୋଜେକ୍ଟ ୧୮୫.୯୨କୋଟି ଟଙ୍କାରେ ନେଇଛି ଓ ୨୪ମାସ ମଧ୍ୟରେ ଏହି କାର୍ଯ୍ୟ ସାରିବ। କ୍ୟାବିନେଟ ଆଜି ଏହି ଟେଣ୍ଡରକୁ ଅନୁମୋଦନ କରିଛନ୍ତି। ସେହିପରି ଯାଜପୁର ଜିଲ୍ଲାର ୫ଟି ବ୍ଲକର ୩୨୩ଟି ଗାଁର ୩.୯୦ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ପାନୀୟ ପ୍ରକଳ୍ପ ନିର୍ମାଣର କାର୍ଯ୍ୟକୁ ମୁମ୍ବାଇର କେଇସି-ବିଆରସିସିପିଏଲ୍ ସଂସ୍ଥା ୨୫୪.୨୭କୋଟି ଟଙ୍କାରେ ଟେଣ୍ଡର ନେଇଛି। ୨୪ମାସ ମଧ୍ୟରେ ଏହି କାମ ସରିବ। କ୍ୟାବିନେଟ ଏହି ଟେଣ୍ଡର ପ୍ରକ୍ରିୟାକୁ ଅନୁମୋଦନ କରିଛନ୍ତି।

ସେହିପରି ଜାଭିୟର ବିଶ୍ୱବିଦ୍ୟାଳୟ, ଓଡ଼ିଶାର ନାଁ ପରିବର୍ତ୍ତନ କରାଯାଇ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟ ଓଡ଼ିଶା ରଖିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାସହିତ ବିଶ୍ୱବିଦ୍ୟାଳୟର ପରିଚାଳନାଗତ ତ୍ରୁଟିବିଚ୍ୟୁତି ହେଲେ ସରକାର ଏଣିକି ଏହି ବିଶ୍ୱବିଦ୍ୟାଳୟର ଉଭୟ ବୋର୍ଡ ଅଫ ମ୍ୟାନେଜମେଣ୍ଟ ଓ ବୋର୍ଡ ଅଫ ଗଭର୍ଣ୍ଣରକୁ ନିଲମ୍ବନ କରିପାରିବେ। ତା’ଛଡ଼ା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଶିକ୍ଷାବୃତ୍ତି, ପଦକ ତଥା ପୁରସ୍କାର ପ୍ରଦାନ ନିମନ୍ତେ ଆସିଥିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଓଡ଼ିଶା ଫୁଡ୍ ସେଫ୍ଟି ସେବା ନିୟମ-୨୦୨୦କୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିବା ସହ ୩୫ଟି ଫୁଡ୍ ସେଫ୍ଟି ଅଫିସର, ୩୭ଟି ଡେଜିନେଟେଡ୍ ଅଫିସର(ଫୁଡ୍ ସେଫ୍ଟି) ଓ ୩ଟି ଡେପୁଟି କମିଶନର ପଦବୀକୁ ନୂଆ ଭାବେ ସୃଷ୍ଟି ନିମନ୍ତେ ଅନୁମତି ଦେଇଛନ୍ତି। ଏହି ପଦବୀଗୁଡ଼ିକ ପ୍ରଥମ ୬ବର୍ଷ ଚୁକ୍ତିଭିତ୍ତିକ ଓ ପରେ ନିୟମିତ ହେବ। ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନଙ୍କ ମାଧ୍ୟମରେ ଏହି ୩୫ଟି ଫୁଡ୍ ସେଫ୍ଟି ଅଫିସର ନିମନ୍ତେ ନିଯୁକ୍ତି ପ୍ରକ୍ରିୟା କରାଯିବ।

ସେହିପରି କଲେଜ ଅଧ୍ୟାପକମାନଙ୍କର ପଦବୀ ପରିବର୍ତ୍ତନ ହୋଇ ସର୍ବଭାରତୀୟସ୍ତରରେ ଆସିଷ୍ଟାଣ୍ଟ ପ୍ରଫେସର(ଗ୍ରୁପ-୧,୨,୩) ଆସୋସିଏଟ୍ ପ୍ରଫେସର ଓ ପ୍ରଫେସର ଆଦି ପଦବୀକୁ ପରିବର୍ତ୍ତିତ ହୋଇଛି। ତେଣୁ ୧୯୯୦ ମସିହାରେ ଓଡ଼ିଶା ଶିକ୍ଷାସେବା(କଲେଜ ଶାଖା), ୧୯୯୦ ଓଡ଼ିଶା ଶିକ୍ଷା ସେବା(ବରିଷ୍ଠ ପ୍ରଶାସନିକ ସେବା), ୧୯୯୦ ଓଡ଼ିଶା ଶିକ୍ଷା ସେବା (ପ୍ରଫେସର ଗ୍ରେଡ୍‌) ରୁଲକୁ ଆମୂଳଚୂଳ ପରିବର୍ତ୍ତନ କରି ଏହାକୁ ଯୁଗପଯୋଗୀ କରିବାର ଆବଶ୍ୟକତା ଥିବା ଓ ଏହାକୁ ଉଚ୍ଛେଦ କରିବାର ଆବଶ୍ୟକ ରହିଛି। ଉପରୋକ୍ତ ୩ଟି ରୁଲ୍ସକୁ ଉଚ୍ଛେଦ କରି ଏକକ ରୁଲ୍ସ୍ ପ୍ରଣୟନ କରାଯାଇଛି ଯାହାକି ସରକାର କଲେଜଗୁଡ଼ିକରେ ଉପରୋକ୍ତ ପଦବୀରେ ଅଧ୍ୟାପକ ନିଯୁକ୍ତି ସହଜସାଧ୍ୟ ହେବ। ଏହାସହିତ ପ୍ରାର୍ଥୀ ଚୟନବେଳେ ଅଧିକ ସଂଖ୍ୟକ ପ୍ରାର୍ଥୀ ହେଲେ ଓଡ଼ିଶା ଲୋକସେବା ଆୟୋଗ ଲିଖିତ ପରୀକ୍ଷା ବା କମ୍ପ୍ୟୁଟରଭିତ୍ତିକ ପରୀକ୍ଷା କରି ଯୋଗ୍ୟ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ କାଣ୍ଟଛାଣ୍ଟ କରିପାରିବେ। ଓପିଏସସି ଦ୍ୱାରା ଆସିଷ୍ଟାଣ୍ଟ ପ୍ରଫେସର(ଗ୍ରେଡ୍‌-୧) ପଦବୀ ପାଇଁ ସିଧାସଳଖ ଚୟନ କରାଯାଇପାରିବ ଓ ଏଥିନିମନ୍ତେ ସର୍ବୋଚ୍ଚ ବୟସକୁ ୩୩ରୁ ୪୫ବର୍ଷକୁ ବୃଦ୍ଧି କରାଯାଇଛି।

 

You might also like