ଓମ୍ଫେଡ୍ ପଲିଥିନ୍ ପାଉଚ୍ କିଣାରେ ୨୪ କୋଟି ଟଙ୍କାର କିକ୍ ବ୍ୟାକ୍
ଭୁବନେଶ୍ୱର: ଓମ୍ଫେଡ୍ ପଲିଥିନ୍ ପାଉଚ୍ କିଣାରେ ହୋଇଛି ୨୪ କୋଟି ଟଙ୍କାର କିକ୍ ବ୍ୟାକ୍। ଗତକାଲି ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଅାଣିଥିବା ଏହି ଅଭିଯୋଗର ସତ ପରଖିଛି ଓଟିଭି। କେବଳ ଦାମ ନୁହଁନ୍ତି, ଘୋଟାଲାକୁ ନେଇ ପୂର୍ବରୁ ତତ୍କାଳୀନ ଓମ୍ଫେଡ୍ ଏମ୍ଡି ମଧୁସୂଦନ ପାଢ଼ୀ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ। ୫ ପୃଷ୍ଠାର ଏହି ଅଭିଯୋଗ ପତ୍ରରେ ୨୪ କୋଟି ୨ଲକ୍ଷ ଟଙ୍କାର କିକ୍ ବ୍ୟାକ୍ ହୋଇଥିବା ଉଲ୍ଲେଖ ରହିଛି। ଗୁଜୁରାଟର IDMC ନାମକ ଏକ ସଂସ୍ଥାରୁ ଓମଫେଡ୍ ପଲିଥିନ୍ ପାଉଚ୍ କିଲୋଗ୍ରାମ ପ୍ରତି ୧୯୩ ଟଙ୍କା ୧୬ ପଇସାରେ କିଣୁଥିଲା।
ତେବେ ହଠାତ୍ ଅଗଷ୍ଟ୨୦୧୫ରୁ କଟକର କମଳା ଏଜେନସି ନାମକ ସଂସ୍ଥାଠାରୁ ଏହାକୁ ୨୩୭ ଟଙ୍କା ୮୩ ପଇସାରେ କିଣାଯାଇଥିଲା। ଫଳରେ ଓମ୍ଫେଡ୍କୁ ପଲିଥିନ୍ କିଲୋଗ୍ରାମ ପ୍ରତି ୪୪ ଟଙ୍କା ୬୭ ପଇସା ଅଧିକ ଦେବାକୁ ପଡିଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ବାସ୍ତବରେ ଏହି ପଲିଥିନ୍ ସେଇ ଗୁଜୁରାଟ IDMCରୁ ହିଁ ଅାସୁଥିଲା। କିନ୍ତୁ ଏହାକୁ କେବଳ କମଳା ଏଜେନ୍ସୀ ମାଧ୍ୟମରେ ଅଧିକ ଟଙ୍କାର ବିଲ୍ କରାଇ ଅର୍ଥ ହରିଲୁଟ୍ ପାଇଁ ଗଳାବାଟ ଖୋଜାଯାଇଥିଲା। ବରିଷ୍ଠ ପ୍ରଶାସକ ବିଷ୍ଣୁପଦ ସେଠୀ ଓମ୍ଫେଡ୍ ଏମ୍ଡି ଥିବା ବେଳେ ଏହି ଦୁର୍ନୀତି ଅଭିଯୋଗ ଅାସିଥିଲା। ତେବେ ତାପରେ ତାଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ସଚିବ କରାଯାଇଥିଲା। ଅାଉ ଦାମଙ୍କ ଅଭିଯୋଗ ଅନୁଯାୟୀ, କ୍ଷମତାର ଅପବ୍ୟବହାର କରି ସେ ଭିଜିଲାନ୍ସ ତଦନ୍ତକୁ ଏଡାଇବା ଲାଗି ବାଟ ଖୋଜିଥିଲେ। ଭିଜିଲାନସ ତଦନ୍ତ ବଦଳରେ ବିଭାଗୀୟ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବିଷ୍ଣୁପଦ ଓମ୍ଫେଡ୍କୁ ଚିଠି ଲେଖିଥିଲେ ।
ତେବେ କାହା ଚାପରେ ମୁଖ୍ୟମନ୍ତ୍ରୀ ଭିଜିଲାନ୍ସ ତଦନ୍ତ ସୁପାରିଶକୁ ବଦଳାଇ ବିଭାଗୀୟ ତଦନ୍ତ ଦେଲେ, ତାହା ପ୍ରଶ୍ନବାଚୀ ହୋଇ ରହିଛି। ଭିଜିଲାନ୍ସ ତଦନ୍ତକୁ ଏଡ଼ାଇବା ପାଇଁ କେଉଁ ଅଫିସର କି ନେତା ଏହି ଷଡ଼ଯନ୍ତ୍ର କରିଥିଲେ? ଅାମେ ଏସମ୍ପର୍କରେ ଏବେ ଉଚ୍ଚଶିକ୍ଷା ସଚିବ ଥିବା ବିଷ୍ଣୁପଦଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ସିଧା ମନାକରିଦେଇଥିଲେ। ଗତକାଲି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଦାମ ବାବୁଙ୍କ ଅଭିଯୋଗକୁ ରୋକ୍ଠୋକ୍ ଖଣ୍ଡନ କରିଥିଲେ। ତେବେ ଦସ୍ତାବିଜ୍ରୁ ସତ ପଦାକୁ ଅାସିବା ପରେ ସରକାର ଏବେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବା କଥା।