ଓଡ଼ିଶାରେ ପୁଣି ୧୨ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଦିନକରେ ଖୋର୍ଦ୍ଧାରୁ ବାହାରିଲେ ୨,୨୦୧ ପଜିଟିଭ୍‌

ଭୁବନେଶ୍ୱର: ଓଡ଼ିଶାରେ ପୁଣି କରୋନା ଗ୍ରାଫ୍‌ ଉପର ମୁହାଁ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨,୩୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୨,୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼ ଓ ତୃତୀୟ ସ୍ଥାନରେ କଟକ ରହିଛି। ଏହି ୨ଟି ସ୍ଥାନରୁ ଯଥାକ୍ରମେ ୮୮୨ ଓ ୭୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ୧୨,୩୯୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେନ୍‌ଣ୍ଟାଇନ୍‌ରୁ ୬,୯୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ୍‌ କେସ୍‌ ୫,୪୫୨ ରହିଛି। ଦିନକରେ ଖୋର୍ଦ୍ଧାରୁ ସର୍ବାଧିକ ୨,୨୦୧ ଆକ୍ରାନ୍ତ ଚିହ୍ନଟ ହେବାପରେ ଚିନ୍ତା ଆହୁରି ବଢ଼ିଛି। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୭୩ରେ ପହଞ୍ଚିଛି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫,୮୮,୬୮୭ରେ ପହଞ୍ଚି ଥିବାବେଳେ ଆକ୍ଟିଭ୍‌ କେସ୍‌ ୧,୦୪,୦୧୬ ରହିଛି। ତେବେ ୪,୮୨,୩୪୫ ଜଣ ସୁସ୍ଥ ହୋଇ ସାରିଲେଣି।

ଗତକାଲି ରାଜ୍ୟରେ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ହଜାର ୬୪୯ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୫୫୭ ଜଣ ଚିହ୍ନଟ ହୋଇଥିବାବେଳେ କଟକ ଦ୍ୱିତୀୟ ସ୍ଥାନରେ ଥିଲା।

କଟକରେ ଆଜି ଟିକାକରଣ ବନ୍ଦ ରହିବ। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସହରବାସୀଙ୍କୁ ସୂଚନା ଦିଆଯାଇଛି। କେବଳ କଟକ ମହାନଗର ଅଞ୍ଚଳରେ ଆଜି ଟିକାକରଣ ହେବ ନାହିଁ ବୋଲି କୁହାଯାଇଛି। ଇଦ୍ ଅବସରରେ ଟିକାକରଣକୁ ବନ୍ଦ ରଖାଯାଇଥିବା ସିଏମ୍‌ସି କମିଶନର୍ ଅନନ୍ୟା ଦାସ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ା କଟକରେ ଏବେ ୧୮ରୁ ଅଧିକ ଏବଂ ୪୫ରୁ ଉର୍ଦ୍ଧ୍ୱ ବୟସ ବର୍ଗର ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଉଛି। ଏଥିଲାଗି ଜବାହରଲାଲ୍ ନେହରୁ ଇଣ୍ଡୋର ଷ୍ଟାଡିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏହା ବ୍ୟତୀତ ମହାନଗର ଅଞ୍ଚଳରେ ଥିବା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟ ସ୍ଥାନରେ ଟିକାକରଣ ଚାଲିଥିଲା।

You might also like