ଇଂଜିନିୟରିଂ କଲେଜରୁ ୨୧ କରୋନା ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ସରକାରୀ ଇଂଜିନିୟରିଂ କଲେଜରୁ ୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୧ ଚିହ୍ନଟଙ୍କ ମଧ୍ୟରେ ୮ ଛାତ୍ର, ୧୩ ଶିକ୍ଷକ ଓ କର୍ମଚାରୀ ଅଛନ୍ତି। ଜଣେ ଆକ୍ରାନ୍ତ ଚିହ୍ନଟ ପରେ ୧୦୦ ଜଣଙ୍କ ସାମ୍ପଲ ନିଆଯାଇଥିଲା। ୧୦୦ଟି ସାମ୍ପଲ ଟେଷ୍ଟ ପରେ ୨୧ ପଜିଟିଭ ସୂଚନା ମିଳିଛି। ପଜିଟିଭ ଚିହ୍ନଟ ମାନଙ୍କୁ ଆଇସୋଲେସନରେ ରଖାଯାଇଥିବା ସୂଚନା ମିଳିଛି।

ଗତ ୨୫ ତାରିଖରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏନେଇ ପିଜି କାଉନସିଲ୍ ଚେୟାରମ୍ୟାନ୍ ସ୍ମୃତିପ୍ରଭା ଦାସ ସୂଚନା ଦେଇଥିଲେ। ୩ ଜଣଙ୍କ ମଧ୍ୟରେ ୨ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ ଅଛନ୍ତି। ବାହାର ଲୋକଙ୍କୁ ରେଭେନ୍ସା କ୍ୟାମ୍ପସ ଭିତରକୁ ପ୍ରବେଶ ନିଷେଧ କରାଯାଇଛି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ବଢିବାରେ ଲାଗିଛି। ବିଶେଷ କରି ଶିକ୍ଷାନୁଷ୍ଠାନ ଗୁଡିକରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପ୍ରଥମେ ଭୁବନେଶ୍ୱରସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ XIMBରେ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପରେ କେନ୍ଦ୍ରୀୟ ବିଦ୍ୟାଳୟ, ନିଟ୍‌ରୁ କରୋନା ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୧୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୨୪ ଜଣ କ୍ୱାରେଣ୍ଟିନ୍‌ରେ ଥିବାବେଳେ ଲୋକାଲ୍ କେସ୍‌ ୮୬ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳରୁ ୭, ବାଲେଶ୍ୱରରୁ ୬, ବରଗଡ଼ରୁ ୮, ବଲାଙ୍ଗିରରୁ ୧୨, କଟକରୁ ୧୯, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୩, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୧୨, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୫୧, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୨, ନୂଆପଡ଼ାରୁ ୨୩, ପୁରୀରୁ ୫, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୧, ସୁନ୍ଦରଗଡ଼ରୁ ୧୨ ଓ ଷ୍ଟେଟ୍‌ ପୁଲ୍‌ରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୯୦୪ରେ ପହଞ୍ଚିଛି।
You might also like