ନିର୍ବାଚନ ପୂର୍ବରୁ କଂଗ୍ରେସର ଜୋର୍‌ଦାର୍ ପ୍ରସ୍ତୁତି

୪୪ ଜଣ ପ୍ରାର୍ଥୀ ଚୂଡ଼ାନ୍ତ କଲା ଦଳ

ଭୁବନେଶ୍ୱର: ନିର୍ବାଚନୀ ଯୁଦ୍ଧ ପୂର୍ବରୁ ପ୍ରସ୍ତୁତ ହେଲେଣି କଂଗ୍ରେସର ସୈନିକ। ଏଥିପାଇଁ ଭୁବନେଶ୍ୱରରେ ଅନୁଷ୍ଠିତ ପିଇସି ବୈଠକରେ ୪୪ ଜଣ ପ୍ରାର୍ଥୀଙ୍କ ନାଁ ଉପରେ ମୋହର ମାରିଛି ପ୍ରଦେଶ ଇଲେକ୍ସନ୍ କମିଟି ବା ପିଇସି। ୪୪ ଜଣିଆ ତାଲିକାରେ ୧୫ଜଣ ବିଧାୟକଙ୍କ ନାଁ ରହିଛି। ଦକ୍ଷିଣ ଓଡ଼ିଶାରୁ ୨୦, ପଶ୍ଚିମରୁ ୧୧ ଓ ଉପକୂଳରୁ ୧୩ଜଣଙ୍କ ନାଁ ରହିଛି।

ତାଲିକାକୁ ତର୍ଜମା ପାଇଁ ସ୍କ୍ରିନିଂ କମିଟିକୁ ପଠାଯିବ। ଗତ ଦୁଇଦିନ ଧରି ଏ ସଂକ୍ରାନ୍ତରେ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି।

ପିଇସି ତାଲିକା ପାଇବା ପରେ ସ୍କ୍ରିନିଂ କରି ଏଆଇସିସିର ସେଣ୍ଟ୍ରାଲ୍ ଇଲେକ୍ସନ୍ କମିଟିକୁ ପଠାଯିବ। ସେଣ୍ଟ୍ରାଲ୍ ଇଲେକ୍ସ‌ନ୍‌ କମିଟି ଶେଷ ନିଷ୍ପତ୍ତି ନେବା ପରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହାକୁ ମୋହର ମାରିବେ। ତେବେ ଦୁର୍ଗାପୂଜା ପରେ ପରେ ପ୍ରାର୍ଥୀଙ୍କ ନାଁ ଘୋଷଣାର ସମ୍ଭାବନା ଥିବା ଦଳର ବରିଷ୍ଠ ନେତା କହିଛନ୍ତି।

ଗୋଟିଏପଟେ ଦଳ ନିର୍ବାଚନୀ ଲଢ଼େଇର ପ୍ରସ୍ତୁତ ଚଳାଇଥିବାବେଳେ କୋରାପୁଟ ବିଧାୟକ କୃଷ୍ଣ ସଗରିଆ କିନ୍ତୁ ଦଳକୁ ଶକ୍ତ ଝଟ୍‌କା ଦେଇଛନ୍ତି। ଚକ୍ରାନ୍ତ କରି ତାଙ୍କୁ ପିସିସି ଏସ୍‌ସି ସେଲ୍ ଅଧ୍ୟକ୍ଷ ପଦରୁ ବାହାର କରାଯିବା ସହିତ ତାଙ୍କୁ ଅପମାନିତ କରାଯାଇଛି ବୋଲି ଶଗରିଆ ଅଭିଯୋଗ କରିଛନ୍ତି।

ବର୍ତ୍ତମାନ ଦଳ ଠିକ୍ ଭାବେ ଚାଲିନାହିଁ। ଅନୁସୂଚିତ ଜାତି ଓ ଜନଜାତି ବିରୋଧୀ କାମ ଦଳରେ ଚାଲିଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ସେ ପିସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି। ତଥାପି କଂଗ୍ରେସର ରହିବେ ବୋଲି କୃଷ୍ଣ କହିଛନ୍ତି। ତେବେ କୃଷ୍ଣଙ୍କ ଏଭଳି ବୟାନ ପରେ ତାଙ୍କୁ ମନାଇବାକୁ ଉଦ୍ୟମ ଜାରି ରହିଛି।

ପ୍ରଥମ ଥର ପାଇଁ ଦିଲ୍ଲୀ ବଦଳରେ ଭୁବନେଶ୍ୱରରେ ସ୍କ୍ରିନିଂ କମିଟି, ସ୍ଥାନୀୟ ନେତା ଓ କର୍ମୀଙ୍କୁ ଭେଟି ନିର୍ବାଚନ ପାଇଁ ଆଗୁଆ ରଣନୀତି ପ୍ରସ୍ତୁତ କରିଛି। ଏଭଳି ସ୍ଥିତିରେ ଦଳୀୟ ଅସନ୍ତୋଷ ଆଗକୁ କେଉଁ ମୋଡ଼ ନେଉଛି, ତା’ଉପରେ ସମସ୍ତଙ୍କ ନଜର।

 

You might also like