ପ୍ରାର୍ଥୀ ଚୟନ କସରତ: ମାର୍ଚ୍ଚ ୧୦ ସୁଦ୍ଧା ଚୂଡ଼ାନ୍ତ ତାଲିକା ଲକ୍ଷ୍ୟରେ କଂଗ୍ରେସ

ଭୁବନେଶ୍ୱର: ନିର୍ବାଚନ ଘୋଷଣା ପାଖେଇ ଆସୁଥିବା ବେଳେ ସବୁ ଦଳ ଏବେ ପ୍ରାର୍ଥୀ ଚୟନ କସରତକୁ ଜୋରଦାର୍ କରିଛନ୍ତି। କଂଗ୍ରେସ୍, ଏହାର ସ୍କ୍ରିନିଂ କମିଟିରେ ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ସିଟ୍ ଲାଗି କର୍ମୀ ଓ ନେତାଙ୍କ ସହ ଆଲୋଚନା ସାରି ଆଶାୟୀ ପ୍ରାର୍ଥୀଙ୍କ ତାଲିକା ନେଇଛି।

ଏନେଇ କଂଗ୍ରେସ ଭବନରେ ସ୍କ୍ରିନିଂ କମିଟି ବୈଠକରେ ଟିକଟ୍ ଆଶାୟୀଙ୍କ ଭିଡ଼ ଜମିଥିବା ବେଳେ ଅନ୍ୟପଟେ କାର୍ଯ୍ୟାଳୟ ପରିସରରେ ଦଳୀୟ କର୍ମୀଙ୍କ ଅସନ୍ତୋଷ, ବିଧାୟକଙ୍କ ବିରୋଧରେ ନାରାବାଜି ହୋଇଛି।

ଜି.ଉଦୟଗିରି ବିଧାୟକ ଜ୍ୟାକବ୍ ପ୍ରଧାନଙ୍କ ଉପସ୍ଥିତିରେ ତାଙ୍କ ବିରୋଧରେ କର୍ମୀମାନେ ସ୍ଲୋଗାନ୍ ଦେଇ ଖୋଲାଖୋଲି ବିରୋଧ କରୁଛନ୍ତି। ଏସବୁ ପରେ ବି ଆଜି କନ୍ଧମାଳ ଓ ଯାଜପୁର ସଂସଦୀୟ କ୍ଷେତ୍ର ଲାଗି ବହୁ ସଂଖ୍ୟାରେ ଆଶାୟୀ ଆବେଦନ କରିଥିଲେ।

ସେପଟେ ପ୍ରାର୍ଥୀ ଚୟନ ନେଇ ସ୍କ୍ରିନିଂ କମିଟିର କସରତ ଶେଷ ହୋଇଛି। ଦୁଇଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଛି କମିଟି।

ମାର୍ଚ୍ଚ ୬ତାରିଖରେ ପ୍ରଦେଶ ନିର୍ବାଚନ କମିଟି ବୈଠକ ବସି, ଏହି ତାଲିକା ଉପରେ ବିସ୍ତୃତ ଆଲୋଚନା କରାଯିବ। ଏହାପରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ପାଖକୁ ଲିଷ୍ଟ ଯିବ। ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି. ସାଥୀଶାନ୍ ଆଶା ପ୍ରକାଶ କରିଛନ୍ତି।

ପ୍ରାର୍ଥୀ ଚୟନ କସରତରେ ବିଜେପି ବି ପଛରେ ନାହିଁ। ପାଖାପାଖି ୧୦୦ ବିଧାନସଭା ଓ ୧୮ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳର ପ୍ରାର୍ଥୀ ଚୟନ କସରତ ଶେଷ ହୋଇଛି। ସଙ୍ଗଠନକୁ ଆଗକୁ ନେଉଥିବା ଓ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ହିଁ ଏଥିରେ ଅଧିକ ଗୁରୁତ୍ୱ ଦିଆଯାଇଛି।

ଦଳର ପାର୍ଲାମେଣ୍ଟାରି ବୋର୍ଡର ମୋହର ପରେ ହିଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ସେପଟେ ପ୍ରାର୍ଥୀ ଚୟନକୁ ନେଇ ଅଧିକ ଟେନ୍‌ସନ୍‌ରେ ଥିବା ବିଜେଡି କିଛି ବିଧାୟକଙ୍କୁ ଗ୍ରୀନ୍ ସିଗ୍‌ନାଲ୍ ଦେଇଥିବା ବେଳେ ଯେଉଁଠି ଦ୍ୱନ୍ଦ୍ୱ ରହିଛି, ସେଠାରେ ପ୍ରାର୍ଥୀ ଚୟନକୁ ନେଇ ଅଡୁଆ ସୃଷ୍ଟି ହେଉଛି।

ଗୋଟିଏ ପଟେ ସରକାର ବିରୋଧୀ ହାଓ୍ୱା ଅନ୍ୟପଟେ ଦଳରେ ଅସନ୍ତୋଷ ଓ ଆଶାୟୀଙ୍କ ଲମ୍ବା ତାଲିକା ପ୍ରାର୍ଥୀୟ ଚୟନକୁ ଜଟିଳ କରିଛି। ଅଗଷ୍ଟ ୨୦୧୮ରେ କଂଗ୍ରେସ ୫୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁ ଆଗୁଆ ଘୋଷଣା କରିବାକୁ ଦାବି କରିଥିଲେ ମଧ୍ୟ ଏଯାଏ କରିପାରି ନାହିଁ। ବିଜେପିରେ ମଧ୍ୟ ପୁରୁଣା ଓ ଦଳରେ ମିଶିଥିବା ନୂଆ ନେତାଙ୍କୁ ନେଇ ବିବାଦ ଲାଗି ରହିଛି। ଆଉ ପ୍ରାର୍ଥୀ ଚୟନକୁ ନେଇ ସବୁଠୁ ଅଧିକ ସମସ୍ୟା ଭିତରେ ରହିଛି ବିଜେଡି।

You might also like