ମାସ୍କ ନ ପିନ୍ଧିଲେ ୨୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ୍

ଭୁବନେଶ୍ୱର: କରୋନାକୁ ଚେକ୍ ଦେବାକୁ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଅର୍ଥାତ୍ ଘରୁ ବାହାରିବା କ୍ଷଣି ମୁହଁରେ ମାସ୍କ ପିନ୍ଧିବା ଜରୁରୀ। ନିୟମ ଉଲ୍ଲଂଘନକାରୀଙ୍କୁ ୨୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଦେବାକୁ ପଡ଼ିବ।

କିଛି ଜିଲ୍ଲାରେ ତ ନୋ ମାସ୍କ, ନୋ ରାସନ୍ ପାଇଁ ବି କୁହାଯାଇଛି। ଏସବୁ ଭିତରେ ଆଜି ପ୍ରଥମ ଦିନରେ କିଛି ଅଭ୍ୟାସଗତ ଉଲଂଘନକାରୀ ସାମ୍ନାକୁ ଆସିଥିବାବେଳେ ଆଉ କିଛି ସ୍ଥାନରେ ଲୋକଙ୍କୁ ସଚେତନ କରାଯାଇଛି।

ଗାଁ ହେଉ କି ସହର। ହାଟ ବଜାର ହେଉ କି ଗଳିକନ୍ଦି, ମାସ୍କ ପିନ୍ଧିବା ପାଇଁ ଡୋର୍ ଟୁ ଡୋର୍ କ୍ୟାଂପେନ୍ କରାଯାଉଛି। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଲି ବୁଲି ନିଜ ଅଞ୍ଚଳର ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି। ଆଜିଠୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ପରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏଭଳି ତତ୍ପରତା।

ଅଧିକାଂଶ ଲୋକେ ମୁହଁରେ ମାସ୍କ ନଚେତ କପଡ଼ା ଢାଙ୍କି ସରକାରଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ବେଳେ ବିଭିନ୍ନ ସ୍ଥାନରେ ସାମାଜିକ ଦୂରତ୍ୱ ବି ପାଳନ କରୁଛନ୍ତି।

ତେବେ ସହର ଅପେକ୍ଷା ମାସ୍କକୁ ନେଇ ଗାଁ ଲୋକଙ୍କୁ ଘାରିଛି ଚିନ୍ତା। କାରଣ ଘରୁ ଗୋଡ଼ କାଢ଼ିଲେ ପୁଲିସ ଭୟ, ସେପଟେ ମାସ୍କ ପିନ୍ଧିବାକୁ କଡ଼ା ନିର୍ଦ୍ଦେଶ। ଏଭଳି ସ୍ଥିତିରେ ଲୋକେ ବାଧ୍ୟ ହୋଇ ଗାମୁଛା ବାନ୍ଧୁଛନ୍ତି।

ତେବେ ଜଗତସିଂପୁର ଜିଲ୍ଲାରେ ବିନା ମାସ୍କରେ ବେପରବାୟ ହୋଇ ଲୋକେ ବୁଲୁଥିବାର ଦେଖିବାକୁ ମିଳିଛି। ବାରିପଦାରେ ବି ସେହି ସମାନ ଦୃଶ୍ୟ। ବାଇକ୍ ଚାଳକମାନେ ହେଲ୍‌ମେଟ୍ ତ ଦୂରର କଥା, ମାସ୍କ ବି ପିନ୍ଧୁନାହାଁନ୍ତି।

ଯେଉଁ ବ୍ୟକ୍ତି ମାସ୍କ ପିନ୍ଧିବେନି ତାଙ୍କୁ ରାସନ୍‌ଠୁ ଆରମ୍ଭ କରି କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ। ଏପରିକି ପ୍ରତ୍ୟେକ ଦୋକାନ ସାମ୍ନାରେ ସୂଚନା ଫଳକ ମାରି ମାସ୍କ ପିନ୍ଧିବାକୁ ଅନୁରୋଧ କରିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ମାସ୍କ ନିୟମ ଉଲ୍ଲଂଘନ କଲେ ଜରିମାନା ଆଦାୟ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ତିନି ଥର ଉଲ୍ଲଂଘନ କଲେ ୨ଶହ ଲେଖାଏଁ ଏବଂ ତୃତୀୟ ଥର ପରେ ମାସ୍କ ନପିନ୍ଧିଲେ ଜରିମାନା ପରିମାଣ ୫ ଶହକୁ ବଢ଼ିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ସେପଟେ ଆଜିଠାରୁ ଗଂଜାମ ଜିଲ୍ଲାରେ ଘରକୁ ଘର ଯାଇ ଲୋକଙ୍କ ସ୍ୱାସ୍ଥ୍ୟ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ଜିଲ୍ଲାର ପ୍ରାୟ ୭ ଲକ୍ଷ ପରିବାରରେ ଏହି ହେଲ୍ଥ ସ୍କ୍ରିନିଂ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ଜିଲ୍ଳାର ବିଭିନ୍ନ ସ୍ଥାନରେ ମଧ୍ୟ ହେଲ୍ଥ ସ୍କ୍ରିନିଂ ଆରମ୍ଭ ହୋଇଛି।

ତେଣେ କୋରାପୁଟ ଉପାନ୍ତ ଇଲାକାରେ ଗାଁକୁ ଗାଁ ଯାଇ ମାସ୍କ ସହ ସାବୁନ ବାଣ୍ଟିଛନ୍ତି ଜିଲ୍ଲା ପ୍ରଶାସନିକ ଅଧିକାରୀ। କିଛି ସ୍ୱେଛାସେବୀ ସଂସ୍ଥା ପକ୍ଷରୁ ବାଲେଶ୍ୱର ଜିଲ୍ଲାରେ ମାସ୍କ ତିଆରି କରି ଲୋକଙ୍କୁ ଯୋଗାଇ ଦିଆଯାଉଛି।

You might also like