ଆଜିଠୁ ଗଡ଼ିଲା ୨୦୦ ପାସେଞ୍ଜର ଟ୍ରେନ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜୁନ୍‌ ୩୦ ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇ ଥିବାବେଳେ ୩ଟି ପର୍ଯ୍ୟାୟରେ ଲକ୍‌ଡାଉନ୍‌ କଟକଣା ହଟିବ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ସ ଜାରି ହୋଇଛି। ନୂଆ ଗାଇଡଲାଇନ୍ସ ଅନୁସାରେ, କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ଜୁନ୍ ୩୦ ଯା‌ଏ ଲକ୍‌ଡାଉନ୍‌ କଟକଣା ବଳବତ୍ତର ରହିଛି। ତେବେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ବାହାରେ ପର୍ଯ୍ୟାୟକ୍ରମେ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।

କଣ୍ଟେନ୍‌ମେଣ୍ଟ୍ ଜୋନ୍ ବାହାରେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍ କଟକଣା ପ୍ରତ୍ୟାହାର ସହ କେଉଁ କେଉଁ କାର୍ଯ୍ୟକଳାପକୁ ଅନୁମତି ମିଳିବ ସେ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଅନ୍‌ଲକ୍‌ ଓ୍ୱାନ୍ ଜାରି ହୋଇଛି।  ରାଜ୍ୟ ସରକାରମାନଙ୍କ ସହ ବିସ୍ତୃତ ଆଲୋଚନା ପରେ ଏ ନେଇ ସାନି ନିର୍ଦ୍ଦେଶନାମା ଜାରି ହୋଇଛି।

ଅନ୍‌ଲକ୍‌ ଓ୍ୱାନ୍ ପରେ ପ୍ରଥମ ପର୍ଯ୍ୟାୟରେ ଆଜି ୨ ଶହ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ଏଥି ମଧ୍ୟରୁ ଓଡ଼ିଶାରେ ୧୨ ଯୋଡ଼ା ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ଆଜି ସକାଳେ ପ୍ରଥମ ଟ୍ରେନ୍ ଜନଶତାବ୍ଦୀ ଏକ୍ସପ୍ରେସ୍ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାତ୍ରା କରିଛି। ଗାଇଡ୍‌ଲାଇନ୍ସ ଅନୁସାରେ, ଯାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ଓ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କେବଳ କରୋନା ଲକ୍ଷଣ ନ ଥିବା ଯାତ୍ରୀ ହିଁ ଟ୍ରେନ୍ ଯାତ୍ରା କରିପାରିବେ। ପୂର୍ବରୁ ଚାଲିଥିବା ଶ୍ରମିକ ସ୍ପେସାଲ୍‌ ଟ୍ରେନ୍‌ ଏବଂ ସ୍ପେସାଲ ଏସି ଟ୍ରେନ ସହ ଏସବୁ ଟ୍ରେନ୍ ଆଜିଠାରୁ ଚଳାଚଳ ଆରମ୍ଭ କରିଛି।

ସାରା ଦେଶରେ ପ୍ରଥମ ଦିନରେ ୧ ଲକ୍ଷ ୪୫ ହଜାରରୁ ଅଧିକ ଯାତ୍ରୀ ନିଜ ନିଜର ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବା ନେଇ ସୂଚନା ମିଳିଛି। ଜୁନ ୧ରୁ ୩୦ ତାରିଖ ମଧ୍ୟରେ ହାରାହାରି ୨୬ ଲକ୍ଷ ଯାତ୍ରୀ ଆଡଭାନ୍ସ ରିଜର୍ଭସେନ୍‌ କରିଥିବା ଜଣାପଡ଼ିଛି। ଯାତ୍ରୀଙ୍କୁ ୯୦ ମିନିଟ୍ ପୂର୍ବରୁ ଷ୍ଟେସନରେ ପହଞ୍ଚିବା ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଛି କେବଳ ଟିକେଟ କନଫର୍ମ ହୋଇଥିବା ଓ ଆର୍‌ଏସି ଯାତ୍ରୀଙ୍କୁ ଟ୍ରେନ୍‌ରେ ଯିବାକୁ ଅନୁମତି ଦିଆଯିବ।

You might also like