କୃଷି ପାଇଁ ଖର୍ଚ୍ଚ ହେବ ୨୦୦ କୋଟି, ଉପକୃତ ହେବେ ୨୪.୫୬ ଲକ୍ଷ ଚାଷୀ
ଭୁବନେଶ୍ୱର: ରାଜ୍ୟରେ କରୋନା ସମସ୍ୟା ସହ ଅର୍ଥନୈତିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଅର୍ଥନୈତିକ ଉନ୍ନତି ପାଇଁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଏ ବାବଦରେ ୧୭ ହଜାର କୋଟିର ବ୍ୟୟ ଅଟକଳ ରଖାଯାଇଥିବା କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ।
ଗ୍ରାମାଞ୍ଚଳରେ ଜୀବିକା ଯୋଗାଇବା ସହ ବାହାର ରାଜ୍ୟକୁ ଶ୍ରମିକ ନଯାଇ କିପରି ରାଜ୍ୟ ଭିତରେ କାମ ପାଇବେ। ସେ ନେଇ ସବୁ ବିଭାଗ ସହ ଆଲୋଚନା ପରେ ଖସଡ଼ା ପ୍ରସ୍ତୁତ ହୋଇଛି। ଏହି ଅର୍ଥ ମୁଖ୍ୟତଃ କୃଷି, କୁଟୀର ଶିଳ୍ପ, ହସ୍ତତନ୍ତ୍ର ଭଳି କ୍ଷେତ୍ରରେ ଖର୍ଚ୍ଚ ହେବ। ଏହି ଅର୍ଥ ଆସନ୍ତା ଜୁନ୍ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଯାହାର ସିଧାସଳଖ ସୁଫଳ ଚାଷୀ ଓ ମଜୁରୀ ଶ୍ରମିକ ପାଇବେ।
କୃଷି କ୍ଷେତ୍ରରେ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଯାହାଦ୍ୱାରା ପ୍ରାୟ ୨୪ଲକ୍ଷ ୫୬ ହଜାର ଚାଷୀ ଉପକୃତ ହେବେ। ୧୦ ଲକ୍ଷ ଚାଷୀଙ୍କୁ ସାଢ଼େ ୫ଲକ୍ଷ ଲକ୍ଷ କୁଇଣ୍ଟାଲ ବିହନ ୭୫ ପ୍ରତିଶତ ରିହାତି ଦରରେ ଯୋଗାଇ ଦିଆଯିବ। ୫୦ ହଜାର ହେକ୍ଟର ଜମି ପାଇଁ ୫ଲକ୍ଷ ହାଇବ୍ରିଡ୍ ଭେଜିଟବଲ ସିଡ୍ସ ଦିଆଯିବ।
୨ଲକ୍ଷ ଚାଷୀଙ୍କୁ ଫଳ ଚାଷ ପାଇଁ ସାହାଯ୍ୟ ଯୋଗାଇ ଦିଆଯିବ। ୪୦ଟି ଆଦିବାସୀ ବ୍ଲକରେ ୧୨ ହଜାର ଶ୍ରମିକଙ୍କୁ ସାହାଯ୍ୟ ସହ ୪ ହଜାର ନୂଆ ପାନ ଚାଷ ଫାର୍ମଙ୍କୁ ୧୬ କୋଟି ଦିଆଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।
୧୦ ହଜାର ଚାଷୀ ଓ ୫ ହଜାର ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ସାହାଯ୍ୟ ଯୋଗାଇ ଦିଆଯିବ। ମତ୍ସ୍ୟ ଓ ପଶୁ ସମ୍ପଦ କ୍ଷେତ୍ର ପାଇଁ ୧୧୧.୪୭ କୋଟି ଟଙ୍କାର ସହାୟତା ୩୮ ହଜାର ୯୦୦ ଚାଷୀଙ୍କୁ ଦିଆଯିବ।
୩୦ ଲକ୍ଷ ଚାଷୀଙ୍କୁ ଶସ୍ୟ ବୀମା ଯୋଜନାରେ ସାହାଯ୍ୟ କରାଯିବ। ହ୍ୟାଣ୍ଡଲୁମ୍ ଓ ହ୍ୟାଣ୍ଡିକ୍ରାଫଟ୍ ପାଇଁ ୩୦ କୋଟିର ବ୍ୟୟ ବରାଦ ଉତ୍କଳିକାକୁ ୫କୋଟିର ବିନା ସୁଧରେ ଋଣ ଦିଆଯିବାକୁ ସ୍ଥିର ହୋଇଛି।