ପୁଅ ସହିଦ ହେବାର ୨୦ ବର୍ଷ ପରେ ବି ଶୁଖିନି ମା’ ଆଖିର ଲୁହ

ଆସନ୍ତା ୨୬ ତାରିଖରେ ପାଳନ ହେବ କାର୍ଗିଲ ବିଜୟ ଦିବସ

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ପାଳନ ହେବ କାର୍ଗିଲ ବିଜୟ ଦିବସ। ସୀମା ପାର କରିଥିବା ପାକିସ୍ତାନକୁ ଉଚିତ ଜବାବ ଦେଇ ଶତ୍ରୁର ଯୋଜନାକୁ ପଣ୍ଡ କରିଥିଲା ଭାରତୀୟ ସେନା।

୧୯୯୯ ମସିହାରେ ହୋଇଥିବା ଏହି ଯୁଦ୍ଧକୁ ୨୦ ବର୍ଷ ବିତିବାକୁ ଯାଉଛି।  ୨୬ତାରିଖରେ ସେନା ପାଳନ କରିବ ବିଜୟ ଦିବସ। ଏହି ୨୦ ବର୍ଷ ଭିତରେ ଅନେକ କିଛି ବଦଳି ଯାଇଛି, କିନ୍ତୁ କାଳଚକ୍ର ପୋଛି ପାରିନି ସହିଦ ମାଆର ଆଖିର ଲୁହ।

ପଣତକାନିରେ ପୁଅର ଫଟୋକୁ କେତେବେଳେ ପୋଛି ଦେଉଛି, ତ କେତେବେଳେ ବାହୁନି ବାହୁନି କାନ୍ଦୁଛି । ପୁଣି କେତେବେଳେ ସହିଦ ପୁଅର ପୋଷାକ ବାକ୍ସ ଉପରେ ମୁଣ୍ଡ ରଖି ଲୁହ ଗଡ଼େଇ ଚାଲିଛି ମାଆ। କାର୍ଗିଲ ଯୁଦ୍ଧରେ ୨୦ ବର୍ଷ ତଳେ ମା’ କୋଳ ଖାଲି କରି ସହିଦ ହୋଇଥିଲା ପୁଅ।

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ରାଜ ବରହମପୁର ଅଞ୍ଚଳର ବୀର ମହେଶ୍ୱର ମହେଶ୍ୱର ବେହେରା ଦେଶ ମାତୃକାର ସେବା ଲାଗି ସେନାରେ ଭର୍ତ୍ତି ହୋଇଥିଲେ। ପ୍ରତି ଛୁଟିରେ ଘରକୁ ଆସୁଥିବା ପୁଅ କିନ୍ତୁ କାର୍ଗିଲ ଲଢେଇ ପରେ ଆଉ ଫେରିନଥିଲା।  ଆସିଥିଲା ସେନା କାର୍ଯ୍ୟାଳୟରୁ ପୁଅର ସହିଦ ହେବା ଖବର ନେଇ ଖଣ୍ଡିଏ ଚିଠି।  ସେହି ଦିନରୁ ମା’ର ଏ ଅବସ୍ଥା।

ବାକ୍ସ ଭିତରେ ଥିବା ପୁଅର ପୋଷାକ ଓ ବ୍ୟବହାର୍ଯ୍ୟ ସାମଗ୍ରୀ ଦେଖି ମାନସିକ ସ୍ଥିତି ଭଲ ରହୁନଥିବାରୁ ପରିବାର ଲୋକେ ଚାବି ଲୁଚାଇ ଦେଇଛନ୍ତି ଯେ ମା’ ଆଉ ତାଲା ଖୋଲି ପାରୁନି।

ଆସନ୍ତା ୨୬ରେ କାର୍ଗିଲ ବିଜୟକୁ ପୁରିବ ୨୦ ବର୍ଷ। ବିଜୟ ଦିବସ ପାଳନ ପାଇଁ ସେନା ପକ୍ଷରୁ କରାଯାଉଛି ପ୍ରସ୍ତୁତି। ଗତ ୧୪ରେ ନୂଆଦିଲ୍ଲୀରୁ ବାହାରିଥିବା କାରଗିଲ୍ ବିଜୟ ଜ୍ୟୋତି ୨୬ ତାରିଖରେ ଦ୍ରାସରେ ପହଞ୍ଚିବ। କାର୍ଗିଲ ଯୁଦ୍ଧରେ ସେନାର ପରାକ୍ରମକୁ ମନେପକାଇ ଗତ ମାସେ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆଜି କାଶ୍ମୀରର ବିଏସଏଫ ମୁଖ୍ୟାଳୟରେ କାର୍ଗିଲ ସହିଦଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି।

୧୯୯୯ରେ ଲଢାଯାଇଥିବା କାର୍ଗିଲ ଯୁଦ୍ଧ ପ୍ରାୟ ୬୦ରୁ ଅଧିକ ଦିନ ଧରି ଚାଲିଥିଲା।  ଏହି ଯୁଦ୍ଧରେ ଭାରତୀୟ ସେନାର ୨୬ ଜଣ ଅଫିସରଙ୍କ ସହ ୫୨୭ଜଣ ଯବାନ ସହିଦ ହୋଇଥିଲେ। ଓଡ଼ିଶାରୁ ୧୩ ସହ ସୈନିକ ବି ଏଥିରେ ପ୍ରାଣବଳି ଦେଇଥିଲେ।  କଷ୍ଟସାଧ୍ୟ ଯୁଦ୍ଧ ପରେ ସୀମା ଭିତରକୁ ପଶିଆସିଥିବା ଶତ୍ରୁପକ୍ଷର ଯୋଜନାକୁ ପଣ୍ଡ କରିଥିଲା ଭାରତୀୟ ସେନା।

You might also like