ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ଆଜିର ନିଷ୍ପତ୍ତିରେ ମୋଟ ୨୦ଟି ପ୍ରସ୍ତାବ ମଂଜୁରୀ ପାଇଥିବା ମୁଖ୍ୟ ଶାସନ ସଚିବ ଆସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ, ୨୦୦୭ ଓ ୨୦୧୫ ଶିଳ୍ପନୀତି ଓ ଫ୍ୟାକ୍ଟ୍ରି ଆକ୍ଟ ୧୯୫୮ରେ ସଂଶୋଧନ କରାଯାଇଛି। ସଂଶୋଧିତ ନିୟମ ଅନୁସାରେ, କାରଖାନାରେ ଓଭର ଟାଇମ ବୃଦ୍ଧିକୁ କ୍ୟାବିନେଟ ମଂଜୁରୀ ମିଳିଛି। ୩ ମାସରେ ୭୫ ଘଣ୍ଟା ଓଭର ଟାଇମ ୧୧୫ ଘଣ୍ଟାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

ଏଣିକି ୨୪୦ ଦିନ ବଦଳରେ ୧୮୦ ଦିନ ପରେ ଜଣକୁ ଛୁଟି ମିଳିପାରିବ। ମହିଳା କର୍ମଚାରୀଙ୍କୁ ରାତି ଡ୍ୟୁଟି ପାଇଁ ସର୍ତ୍ତମୂଳକ ଅନୁମତି ମିଳିବ ବୋଲି ଆଜି ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି।

ସେହିପରି ବିଜେପୁର ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପକୁ ମଧ୍ୟ ମଂଜୁରୀ ମିଳିଛି। ଏହି ପ୍ରକଳ୍ପରେ ୧୧୩୮.୬୩ କୋଟି ଖର୍ଚ୍ଚ ହେବ। ଏହାଦ୍ୱାରା ୨୫ ହଜାର ହେକ୍ଟର ଜମିରେ ଜଳସେଚନ ହୋଇପାରିବ ବୋଲି ସୂଚନା ମିଳିଛି।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବି ବଡ଼ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ। ସ୍ୱାସ୍ଥ୍ୟ ସେବାରେ ନିର୍ମଳ ସ୍କିମର ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ନିର୍ମଳ ପ୍ଲସ ଓ ନିର୍ମଳ ପ୍ଲସ ପ୍ଲସ ଯୋଜନାକୁ କ୍ୟାବିନେଟ ମଂଜୁରୀ ମିଳିଛି। ସେହିଭଳି ଓଡ଼ିଶା ହେଲ୍ଥ ଇନ୍ସୁରାନ୍ସ ସୋସାଇଟି ଗଠନ ନେଇ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ବିଜୁ କୃଷକ ବୀମାଧାରୀ ସହ ଅନ୍ୟ ହିତାଧିକାରୀ ଲାଭ ପାଇପାରିବେ।
୭୦ ଲକ୍ଷ ପରିବାର ୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ। ମହିଳାମାନଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟ ସହାୟତା ପରିମାଣ ୧୦ ଲକ୍ଷ ରହିଛି।

ଏଥିସହିତ ୮୨୭ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ ମଂଜୁରୀ ମିଳିଛି। ୮ ବ୍ଲକର ୯୧୧ ଗାଁକୁ ପାନୀୟ ଜଳ ଯୋଗାଣ ନେଇ ନିଷ୍ପତ୍ତି ହୋଇଛି। କାଲିମେଳା, ବୈପାରୀଗୁଡ଼ା, ସାରସକଣା, ଗୋପବନ୍ଧୁନଗର ବ୍ଲକ, ଭୋଗରାଇ, କାଶୀନଗର, ଗୁମା ଓ ମାହାଙ୍ଗା ବ୍ଲକ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସହରାଞ୍ଚଳ ବସ୍ତିର ଉନ୍ନୟନ ପାଇଁ ମଧ୍ୟ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ।

ଗ୍ରୁପ୍ ସି ପରୀକ୍ଷା ପାଇଁ ଆଉ କୌଣସି ସାକ୍ଷାତକାର ପରୀକ୍ଷା ହେବନି ବୋଲି କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। କେବଳ ଲିଖିତ ଟେଷ୍ଟ କରି ଚାକିରୀ ପାଇଁ ଚୟନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସେହିପରି ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମିହରାକୁ ଜମି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ପୁରୀ ମଙ୍ଗଳାଘାଟରେ ୬.୬୬୧ ଏକର ଜମି ମାଗଣା ଦିଆଯିବ। ପୁରୀ ମଙ୍ଗଳାଘାଟରେ ୬.୬୬୧ ଏକର ଜମି ମାଗଣା ଦିଆଯିବ ବୋଲି ଆଜି ବସିଥିବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି। ତା ସହିତ ଜମି ରେଜିଷ୍ଟ୍ରେସନ ଫି ଓ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

 

 

 

You might also like