ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ସଫା

ଦାନ୍ତେୱାଡ଼ା: ଛତିଶଗଡ଼ରେ ସୁରକ୍ଷାବଳକୁ ବଡ଼ ସଫଳତା। ଦୁଇ ହାର୍ଡ କୋର୍ ମହିଳା ମାଓବାଦୀ ଏନକାଉଣ୍ଟରରେ ନିହତ। ଛତିଶଗଡ଼ ଦାନ୍ତେୱାଡ଼ା କାଲୋପଲ୍ ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଖବର ପାଇଁ କମ୍ବିଂ କରିଥିଲେ ଯବାନ। ତେବେ ଏହି ସମୟରେ ପୋଲିସ୍ ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲେ ନକ୍ସଲ। ଏହାର କଡ଼ା ଜବାବ ଦେଇଥିଲେ ଯବାନ। ଏଥିରେ ୱାଣ୍ଟେଣ୍ଡ ମାଓବାଦୀ ଇଜେ ମରକୋମ୍ ଓ ମାଲାଙ୍ଗିରିଙ୍କ ମୃତ୍ୟୁ ହୋଇଛି। ଇଜେ ନାଁରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ବେଳେ ମଲାଙ୍ଗିରି ଏରିଆ କମିଟି ମାଓ ସଙ୍ଗଠନର ସଦସ୍ୟ ଥିଲେ।

ତେବେ ଏହି ଏନକାଉଣ୍ଟର ବେଳେ ଖସି ପଲାଇଛନ୍ତି କିଛି ଦୁର୍ଦ୍ଦାନ୍ତ ମାଓବାଦୀ। କିଛି କ୍ୟାଡର୍ ମାଓବାଦୀ ବି ଘଟଣାସ୍ଥଳରୁ ଚମ୍ପଟ୍ ମାରିବାରେ ସଫଳ ହୋଇଛନ୍ତି। ଅପରେସନ୍ ପରେ ଘଟଣାସ୍ଥଳରୁ ବ୍ୟାପକ ପରିମାଣର ମାରଣାସ୍ତ୍ର, ମାଓ ସାମଗ୍ରୀ ଜବତ ହୋଇଛି। ପୁରା ଅଞ୍ଚଳରେ ଏବେ କମ୍ବିଂକୁ ଜୋରଦାର କରାଯାଉଛି। ମିଳିଥିବା ସୂଚନା ମୁତାବକ, ମାଓବାଦୀ ମାନେ କିଛି ବଡ଼ ଧରଣର ଷଡଯନ୍ତ୍ର କରିବା ନେଇ ଯବାନଙ୍କ ପାଖରେ ସୂଚନା ମିଳିଥିଲା।

ମାଓ ମୁକାବିଲା ନେଇ ପୋଲିସ ଡିଜି ଅଭୟ କହିଥିଲେ ଯେ ମୁଖ୍ୟସ୍ରୋତକୁ ଆସନ୍ତୁ, ଉନ୍ନୟନ କାମରେ ବାଧା ସୃଷ୍ଟି କରନ୍ତୁନି। ଓଡ଼ିଶାରେ ନକ୍ସଲ ପ୍ରଭାବ ପୂର୍ବ ଅପେକ୍ଷା ବହୁ ପରିମାଣରେ କମିଛି। ମୋଟ ନକ୍ସଲଙ୍କ ମଧ୍ୟରୁ ଓଡ଼ିଶାରେ ଏବେ ମାତ୍ର ୧୦% ରହିଛନ୍ତି। ବନ୍ଧୁକ ଛାଡ଼ି ମୁଖ୍ୟ ସ୍ରୋତକୁ ଆସନ୍ତୁ ବୋଲି ଡିଜିପି ନିବେଦନ କରିଥିଲେ।

୬୨ତମ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ମିଳନୀ ଅବସରରେ ପୋଲିସ ଡିଜି ଅଭୟ କହିଥିଲେ ଯେ, ରାଜ୍ୟରେ ଅପରାଧର ମାତ୍ରା କମିଛି। ଚଳିତ ବର୍ଷ ମାଓ ମୁକାବିଲା କ୍ଷେତ୍ରରେ ପୋଲିସକୁ ସଫଳତା ମିଳିଛି। ଚଳିତ ବର୍ଷ ୧୭ ଜଣ ମାଓବାଦୀ ପ୍ରାଣ ହରାଇଥିବାବେଳେ ୨୧ ଜଣ ଆତ୍ମସମର୍ପଣ କରିଛନ୍ତି। ସ୍ୱାଭିମାନ ଅଞ୍ଚଳରେ ଓଡ଼ିଶା ପୋଲିସ ସ୍ଥିତି ଜାହିର କରିପାରିଛି ବୋଲି ଡିଜିପି କହିଥିଲେ।

You might also like