ରଥଯାତ୍ରାରେ ସାମିଲ ୨ ସେବାୟତ କରୋନାରେ ଆକ୍ରାନ୍ତ
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ୨ ସେବାୟତ କରୋନାରେ ଆକ୍ରାନ୍ତ। ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କର ସ୍ୱାବ୍ ଟେଷ୍ଟ ରିପୋର୍ଟ ଆସିଲା। ୨ ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତ ସେବାୟତଙ୍କର ରିପୋର୍ଟ ନେଗେଟିଭ ଆସିଛି। ରଥଯାତ୍ରାରେ ସଂପୃକ୍ତ ୨୬୩୬ ଜଣ ସେବାୟତଙ୍କର ସ୍ୱାବ୍ ପରୀକ୍ଷା ପୂର୍ବରୁ ହୋଇଥିଲା। ପଜିଟିଭ ବାହାରିଥିବା ୨ ସେବାୟତଙ୍କୁ ଏବେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇ ଘୋଷଯାତ୍ରା ସମ୍ପର୍କିତ ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ ହେବ। ଏନେଇ ରଥଯାତ୍ରାରେ ସଂପୃକ୍ତ ୨୬୩୬ ଜଣ ସେବାୟତଙ୍କର ସ୍ୱାବ୍ ପରୀକ୍ଷା ପୂର୍ବରୁ ହୋଇଥିଲା। ରଥଯାତ୍ରା ପୂର୍ବରୁ ଥରେ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା। ପୁଣି ବାହୁଡ଼ାଯାତ୍ରା ପୂର୍ବରୁ ଏବଂ ଏବେ ଘୋଷଯାତ୍ରା ପରେ ତୃତୀୟ ପର୍ଯ୍ୟାୟ ଟେଷ୍ଟ ହୋଇଥିଲା।
ତୃତୀୟ ପର୍ଯ୍ୟାୟରେ ଘୋଷଯାତ୍ରାରେ ସାମିଲ ହୋଇଥିବା ପ୍ରାୟ ୪ ହଜାରରୁ ଅଧିକ ସେବାୟତଙ୍କର ଏହି ଟେଷ୍ଟ କରାଯାଇଥିଲା। ପୁରୀ ସହରର ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ବାଗେଡିଆ ଧର୍ମଶାଳା ଓ ମାର୍କେଣ୍ଡଶ୍ୱର ସାହି ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ଟେଷ୍ଟ କରାଯାଇଥିଲା।
ଆଜି ପ୍ରଥମ ପର୍ଯ୍ୟାୟରେ ଦଇତାପତି ନିଯୋଗ, ସୁଆର ମହାସୁଆର ସେବାୟତ ଓ ଘଣ୍ଟୁଆ ସେବକ ମାନଙ୍କ କୋଭିଡ ଟେଷ୍ଟ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ପୂଜାପଣ୍ଡା,ଗରାବଡୁ, ଘଟୁଆରୀ, ମେକାପ ଆଦି ଅନ୍ୟାନ୍ୟ ସେବାୟତଙ୍କ ଟେଷ୍ଟ କରାଯାଇଥିଲା।