ପୁରୀ ଟ୍ରିପଲ୍‌ ମର୍ଡର ଘଟଣାରେ ୪ ଅଟକ

ପୁରୀ: ପୁରୀ ପଟ୍ଟନାୟକିଆ ଛକରେ ଟ୍ରିପଲ୍‌ ମର୍ଡର ଘଟଣାରେ ଅଭିଯୁକ୍ତଙ୍କ ପରିବାରର ୪ଜଣଙ୍କୁ ଅଟକ ରଖିଛି। ମୋଟ ୭ଜଣଙ୍କ ନାଁରେ ଏତଲା ହୋଇଥିବା ବେଳେ ଘଟଣାର ୧୨ ଘଣ୍ଟା ପରେ ବି କୌଣସି ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ୍‌ ସଫଳ ହୋଇନି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେବି ଚାପା ଉତ୍ତେଜନା ଲାଗି ରହିଛି। ପଟ୍ଟନାୟକିଆ ଛକ ଜନଶୂନ୍ୟ ହୋଇ ପଡ଼ିଥିବା ବେଳେ ସବୁ ଦୋକାନ ବଜାର ବନ୍ଦ ରହିଛି। ମୃତକଙ୍କ ଗାଁ ଓ ଘଟଣାସ୍ଥଳରେ ଅପ୍ରୀତିକର ପରିସ୍ଥିତି ରୋକିବାକୁ ପୁଲିସ୍‌ ମୁତୟନ ହୋଇଛି।

ଗୋଟିଏ ପରିବାରର ୩ଜଣଙ୍କୁ ବିଭତ୍ସ ହତ୍ୟା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଗତକାଲି ଅପରାହ୍ନରେ ପଟ୍ଟନାୟକିଆ ଛକ ନିକଟରେ ବିଚ୍ ରାସ୍ତାରେ ତିନି ଜଣ ଯୁବକଙ୍କୁ ଗୋଡାଇ ଗୋଡ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।  ମୃତକମାନେ ହେଲେ ସ୍ଥାନୀୟ ସଦାନନ୍ଦପୁରର କୃଷ୍ଣ ବେହେରା, ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା। ଏମାନେ କୌଣସି କାର୍ଯ୍ୟରେ ପଟ୍ଟନାୟିକିଆକୁ ଆସିଥିବା ବେଳେ ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡର ପ୍ରତିବାଦରେ ସ୍ଥାନୀୟ ଲୋକ ପ୍ରାୟ ୨ ଘଣ୍ଟା ଧରି ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଅବରୋଧ କରିବା ସହ ପୋଡ଼ାଜଳା କରିଥିଲେ।

You might also like