କରୋନା ଯୁଦ୍ଧରେ ହାରିଗଲେ ରାଜ୍ୟର ଆଉ ୩ ସାମ୍ବାଦିକ

କରୋନା ନେଲା ୨ ସାମ୍ବାଦିକଙ୍କ ଜୀବନ

ଭୁବନେଶ୍ୱର: କରୋନା ଲଢେଇରେ ହାରିଗଲେ କରୋନା ଯୋଦ୍ଧା। ମୟୂରଭଂଜ ଜିଲ୍ଲା କରଂଜିଆର କନକ ନ୍ୟୁଜ୍‌ ପ୍ରତିନିଧି ଅସିତ୍ ବେହେରାଙ୍କର କରୋନାରେ ମୃତ୍ୟୁ ହୋଇଛି। କିଛି ଦିନ ତଳେ ମାଙ୍କ ଦଶାହ କ୍ରିୟା ବେଳେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିବା ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାର ସାମ୍ବାଦିକ ରଘୁନାଥ ସାହୁ ମଧ୍ୟ କରୋନାରେ ଆଖି ବୁଜିଛନ୍ତି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ରଘୁନାଥଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଛି। ରଘୁନାଥ ସାହୁ ଜୀ ଓଡ଼ିଶାର ଅନୁଗୁଳ ଜିଲ୍ଲା ପ୍ରତିନିଧି ଭାବେ କାମ କରୁଥିଲେ।

ସେପଟେ, ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗ ଚିକିତ୍ସାଧିନ ଅବସ୍ଥାରେ ଗତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି। ତାଙ୍କୁ ଥଣ୍ଡା ଜ୍ୱର ହେବାରୁ ଗତ ୧୬ ତାରିଖରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ସେ ପଜିଟିଭ୍ ଥିବା ଜଣାପଡ଼ିବା ପରେ ଆଇସୋଲେସନରେ ରହିଥିଲେ। ୨୭ ତାରିଖରେ ଶ୍ୱାସକ୍ରିୟା ସମସ୍ୟା ହେବାରୁ ବସନ୍ତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଗତ ରାତିରେ ୮୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପୁଅ ଚନ୍ଦନ ଦାସ ସୂଚନା ଦେଇଛନ୍ତି।

ରାଜ୍ୟର ଜଣେ ଜଣାଶୁଣା ସାମ୍ବାଦିକ ତଥା ରାଜନୈତିକ ସମୀକ୍ଷକ ଥିଲେ। ବସନ୍ତ ଦାସ ଭାଷା ଓ ସାହିତ୍ୟ ପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କାର ମିଳିଥିଲା। ବସନ୍ତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ବସନ୍ତ ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ବସନ୍ତଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ଏହାସହ ଟ୍ୱିଟ୍‌ କରି ବସନ୍ତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ବୈଜୟନ୍ତ।

ତେବେ କରୋନା ସଂକ୍ରମଣ ଗତ ୩ ଦିନ ହେବ କିଛି ମାତ୍ରାରେ କମିଛି। ସୂଚନା ଅନୁସାରେ, ରାଜ୍ୟରେ ଆଜି ବି ୧୦ ହଜାର ତଳକୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯଦିଓ ଆଜିକୁ ମିଶାଇ ଗତ ୩ ଦିନ ହେବ ରାଜ୍ୟରେ ୧୦ ହଜାର ତଳକୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ହେଲେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ୭,୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

You might also like