ଭୁବନେଶ୍ୱରରେ ଆଉ ୨ କରୋନା ଆକ୍ରାନ୍ତ, ୨୩ରେ ପହଞ୍ଚିଲା ସଂଖ୍ୟା

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ଦୁଇ ଜଣ ‘କରୋନା’ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ୭୦ ବର୍ଷୀୟ ବୃଦ୍ଧ ଥିବା ବେଳେ ଅନ୍ୟ ଜଣେ ୨୯ ବର୍ଷର ଯୁବକ। ବୃଦ୍ଧ ଜଣକ ହେଉଛନ୍ତି କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀର। ସେ ନିକଟରେ ଅଷ୍ଟ୍ରେଲିଆରୁ ଫେରି ଗତ ୨୨ ତାରିଖରେ ହୋମ୍‌ କ୍ୱାରେଣ୍ଟାଇନରେ ରହିଥିଲେ।


ଆଜି ତାଙ୍କୁ କରୋନା ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ସେହିପରି ଆଉ ଜଣେ ହେଉଛନ୍ତି ବମିଖାଲର। ମାତ୍ର ତାଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ଜଣାପଡ଼ିନାହିଁ। ଗତକାଲି ରାତିରେ କଳାହାଣ୍ଡିର ଜଣେ ଯୁବକ କରୋନା ଆକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲେ। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି।

ଓଡ଼ିଶାରେ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟର ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏହାପରେ ମାର୍ଚ୍ଚ ୧୯ରେ ଦ୍ୱିତୀୟ ଓ ମାର୍ଚ୍ଚ ୨୬ରେ ତୃତୀୟ ପଜିଟିଭ୍ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ। ତେବେ ମାର୍ଚ୍ଚ ୩୧ରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ବାହାରେ, ଅର୍ଥାତ୍ ଭଦ୍ରକରେ ଜଣେ କରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା। ଭଦ୍ରକ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା। 

କିନ୍ତୁ ଏପ୍ରିଲ ୧ରେ ଭୁବନେଶ୍ୱର ସୂର୍ଯ୍ୟନଗରରୁ ପଞ୍ଚମ ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ମାର୍ଚ୍ଚ ୧୫ରୁ ଏପ୍ରିଲ ୧ ମଧ୍ୟରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଏପ୍ରିଲ ୩ରେ ଏହି ସଂଖ୍ୟା ହଠାତ୍ ୪ ଗୁଣ ବୃଦ୍ଧି ପାଇ ୨୦ରେ ପହଞ୍ଚିଥିଲା। ତେବେ ଗତକାଲି(ଶନିବାର) ରାତିରେ ଜଣେ କଳାହାଣ୍ଡିରୁ ଓ ଆଜି ୨ ଜଣ ଭୁବନେଶ୍ୱରରୁ ଚିହ୍ନଟ ପରେ ଏହି ସଂଖ୍ୟା ୨୩କୁ ବୃଦ୍ଧି ପାଇଛି।

 

You might also like