ରାଜ୍ୟରେ ଆଉ ଏକ ଜିଲ୍ଲାକୁ ବ୍ୟାପିଲା କରୋନା ଭାଇରସ୍‌: ସୁନ୍ଦରଗଡ଼ରେ ଦୁଇ ଚିହ୍ନଟ

ରାଉରକେଲା (ପବନ ତିୱାରୀ): ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଏଯାଏ କିଛି ସୂଚନା ଦିଆଯାଇ ନାହିଁ। କେବଳ ଗତକାଲି ବିଳମ୍ବିତ ରାତିରେ ବିଭାଗ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଥିଲା ଯେ ଆଉ ୪ଟି କୋଭିଡ୍ ୧୯ ମାମଲା ଆସିଛି। ଅନ୍ୟ ଦୁଇ ଆକ୍ରାନ୍ତ କେଉଁ ଅଞ୍ଚଳରେ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

ଆଉ ୪ଟି ରିପୋର୍ଟ ପଜିଟିଭ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଯାଇଛି। ଏଥିମଧ୍ୟରୁ ୧୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ଏବେବି ୪୧ଟି ଆକ୍ଟିଭ୍ କେସ୍ ଅଛି ଅର୍ଥାତ୍ ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ସେମାନଙ୍କ ଚିକିତ୍ସା ଚାଲିଛି।

ଓଡ଼ିଶାରେ ଗତକାଲି ସୁଦ୍ଧା ମୋଟ ୩ ହଜାର ୫୫୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ତା ମଧ୍ୟରୁ ୩ ହଜାର ୪୯୭ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୫୪ ଜଣ ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି। ତେବେ ୫୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବା ଏବଂ ଜଣଙ୍କର ମୃତ୍ୟୁ ହୋଇଥିବାରୁ ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି।

 

You might also like