ଏମିତି ବି ଆସେ ବିପତ୍ତି: ପାଣିରୁ ଛାଣି ଝିଅକୁ ମେଡିକାଲ୍‌ ନେଉଥିଲେ, ଓଲଟି ପଡ଼ିଲା ଅଟୋ

ଆନନ୍ଦପୁର: ଏମିତି ବି ଆସେ ବିପତ୍ତି। ପୋଖରୀରେ ବୁଡ଼ି ଯାଇଥିବା ଝିଅ କାଳେ ବଞ୍ଚିଥିବ ଭାବି ସେ ଆଶାରେ ବାପା ମା’ ମେଡିକାଲ୍‌ ନେଉଥିଲେ। ହେଲେ ଅଧା ବାଟରେ ଦୁର୍ଘଟଣାର ଶିକାର ହେଲେ।

ଘଟଣା କିଛି ଏମିତି… ପୋଖରୀରେ ଦୁଇ ଜଣ ନାବାଳିକା ବୁଡ଼ି ଯାଇଥିଲେ। ଉଭୟଙ୍କୁ ଉଦ୍ଧାର କରାଯିବା ପରେ କାଳେ ବଞ୍ଚିଥିବେ ବୋଲି ଭାବି ଏକ ଅଟୋରେ ପରିବାର ଲୋକେ ତରବର ହୋଇ ମେଡିକାଲ୍‌ ନେଉଥିଲେ। ହେଲେ ବାଟରେ ଅଟୋଟି ଓଲଟି ପଡ଼ିଥିଲା। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ସୋସ ଥାନା ଅନ୍ତର୍ଗତ ମଧୁବନ ଗାଁର ଦୁଇ ନାବାଳିକା ଅନିତା ମହାକୁଡ଼ ଓ ଅନିଶା ନାୟକ ଆଜି ସକାଳ ପ୍ରାୟ ୧୧ଟା ସମୟରେ ପୋଖରୀକୁ ଗାଧେଇବାକୁ ଯାଇଥିଲେ।  ଏହି ସମୟରେ ଗୋଡ଼ ଖସିଯିବାରୁ ଉଭୟେ ପୋଖରୀରେ ବୁଡ଼ି ଯାଇଥିଲେ। ଏନେଇ ସ୍ଥାନୀୟ ଲୋକେ ଦେଖିବା ପରେ ଉଭୟଙ୍କୁ ଉଦ୍ଧାର କରିଥିଲେ। କାଳେ ଉଭୟେ ବଞ୍ଚିଥିବା ତାହା ଭାବି ସଙ୍ଗେସଙ୍ଗେ ଏକ ଅଟୋରେ ପରିବାର ଲୋକେ ମେଡିକାଲ୍‌ ନେଉଥିଲେ।  ହେଲେ ଦୁର୍ଭାଗ୍ୟବଶତଃ ଅଟୋଟି ଭାରସାମ୍ୟ ହରାଇ ଅଧା ବାଟରେ ଓଲଟି ପଡ଼ିଥିଲା। ଏଥିରେ ଉଭୟ ଅନିତା ଓ ଅନିଶାଙ୍କ ମାଆ ଗୁରୁତର ଆହତ ହୋଇଥିଲେ। ଉଭୟ ନାବାଳିକା ଓ ସେମାନଙ୍କ ମା’ଙ୍କୁ ଆନନ୍ଦପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ମେଡିକାଲ୍‌ରେରେ ଦୁଇ ନାବାଳିକାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

You might also like