ସ୍କୁଟି-ଅଟୋ ମୁହାଁମୁହିଁ ଧକ୍କା, ୨ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

ପିପିଲି: ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ ସହ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ଜଣ ସ୍କୁଲ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଛି।

ସେମାନେ ହେଲେ ସ୍ନେହଲତା ସାହୁ (୪୨) ଓ ଶୁଭଲକ୍ଷ୍ମୀ ପରିଡ଼ା(୨୩)। ସେମାନେ ସ୍ଥାନୀୟ ପୀତବାସ ୟୁଜି ଏମ୍ଇ ସ୍କୁଲର ଶିକ୍ଷୟିତ୍ରୀ ବୋଲି ସୂଚନା ମିଳିଛି।

ଆଜି ଶନିବାର ସକାଳୁଆ ସ୍କୁଲ ଥିବାରୁ ଉଭୟ ସ୍କୁଟିରେ ସ୍କୁଲ୍ ଯାଉଥିଲେ। ଦାଣ୍ଡମୁକୁନ୍ଦପୁର କେନ୍ଦ୍ରୀୟ ପ୍ରାଥମିକ ସ୍କୁଲ ସାମ୍ନାରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ସହ ସେମାନଙ୍କର ସ୍କୁଟି ମୁହାଁମୁହିଁ ଧକ୍କା ହୋଇଥିଲା।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ପିପିଲି ହସ୍ପିଟାଲ ଓ ପରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ଯେ, ଉଭୟ ସ୍ନେହଲତା ଓ ଶୁଭଲକ୍ଷ୍ମୀଙ୍କ ବାପଘର ଦାଣ୍ଡମୁକୁନ୍ଦପୁରରେ ହୋଇଥିବା ବେଳେ ସେମାନେ ପିପିଲିରେ ରହୁଥିଲେ। ସେଠାରୁ ସ୍କୁଟିରେ  ପ୍ରତିଦିନ ସାଙ୍ଗ ହୋଇ ସ୍କୁଲ ଯିବା ଆସିବା କରୁଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

You might also like