ମଧ୍ୟଯୁଗୀୟ ବର୍ବରତା: ଭିନ୍ନ ଜାତିରେ ଭୋଜି ଖାଇଥିଲେ ବୋଲି ଦୁଇ ଭଉଣୀଙ୍କୁ ଲଣ୍ଡା କଲେ ଜାତୀ ଭାଇ

କୋରାପୁଟ: ମାନବ ଗଲାଣି ଚନ୍ଦ୍ରପୃଷ୍ଠକୁ। ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଭେଦିବାକୁ ପ୍ରୟାସ ବି କଲାଣି। ଅଥଚ ମଧ୍ୟଯୁଗୀୟ ମାନସିକତାରୁ ମୁକୁଳି ପାରୁନି ଉପାନ୍ତ ଇଲାକାର ମଣିଷ। ଆଜି ବି ଜାତିବାଦର କୁତ୍ସିତ ଚିନ୍ତାଧାରା ତାକୁ କବଳିତ କରି ରଖିଛି। ଭିନ୍ନ ଜାତିର ଭୋଜି ଖାଇଲେ ବୋଲି ପିତୃହରା ଦୁଇ ଭଉଣୀଙ୍କୁ ଲଣ୍ଡା କରିବା ଏବଂ ପରେ ସାହି ଭାଇ ଜାତିରେ ମିଶାଇବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କୋରାପୁଟ ଜୟପୁର ଅଞ୍ଚଳରେ ଏଭଳି ଦଣ୍ଡ ପାଇଥିବା ଦୁଇ ଭଉଣୀ ଏବେ ନ୍ୟାୟ ଅପେକ୍ଷାରେ। ଓଟିଭିର ଏକ୍ସକ୍ଲୁସିଭ୍ ରିପୋର୍ଟ ପଢ଼ନ୍ତୁ।

ମେ ୭, ୨୦୨୦ ତରିଖ। ବାପାଙ୍କୁ ହରାଇ ଥିଲେ ଦୁଇ ଭଉଣୀ। ଭାଇ ନଥିବାରୁ ସବୁ ରୀତିନୀତି ତାଙ୍କୁ ହିଁ କରିବାକୁ ପଡ଼ିଥିଲା। କିନ୍ତୁ ଦଶାହ ସମୟରେ ପ୍ରତିବନ୍ଧକ ସାଜିଥିଲେ ନିଜ ଜାତି ଭାଇ। ପୂର୍ବରୁ ଏମାନେ ଭିନ୍ନ ଏକ ସଂପ୍ରଦାୟର ଭୋଜି ଖାଇଥିଲେ ବୋଲି ନିଜ ସାହି ଭାଇ ଦଶାହ କାର୍ଯ୍ୟରେ ଅସହଯୋଗ କରିଥିଲେ। ପରେ ଗାଁ ସମିତି ବୈଠକର ନିଷ୍ପତ୍ତି ଅନୁଯାୟୀ, ପ୍ରତିକାର ସ୍ୱରୂପ ଉଭୟଙ୍କୁ ପ୍ରଥମେ ଲଣ୍ଡା କରାଇଥିଲେ। ଏବଂ ପରେ ଦଶାହ କାର୍ଯ୍ୟରେ ସାମିଲ କରିଥିଲେ ନିଜ ଜାତି ଭାଇ।

ତେବେ ଅଭିଯୋଗ ପାଇ ଆମେ ପହଞ୍ଚିଥିଲୁ ସଂପୃକ୍ତ ଗାଁରେ। ଲଣ୍ଡା କରାଇଥିବା ସାହି ମୁଖିଆ ଜଗୁ ମାଳି ମଧ୍ୟ ଘଟଣାକୁ ସ୍ୱୀକାର କରିବା ସହ ପରମ୍ପରାର ଆଳ କରି ଏଡ଼ାଇ ଯାଇଥିଲେ। ସେପଟେ ଏଭଳି କୁତ୍ସିତ କାର୍ଯ୍ୟ ବିରୋଧରେ ଅବିଭକ୍ତ କୋରାପୁଟ ଜିଲ୍ଲା ମାଳି ସମାଜ ବିକାଶ ପରିଷଦ କୋରାପୁଟ ଏସ୍‌ପି ଏବଂ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛି। ଉପଜିଲ୍ଲାପାଳ ଲୋକନାଥ ଦଳବେହେରା ଘଟଣାକୁ ନିନ୍ଦା କରିବା ସହ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ଗୋଟିଏ ପଟେ ବାପାଙ୍କୁ ହରାଇବାର କଷ୍ଟ, ଆରପଟେ ନିଜ ସାହି ସମାଜର ଜାତିବାଦୀ ଯନ୍ତ୍ରଣା। ଏଭଳି ସ୍ଥିତିରେ ଏହି ଦୁଇ ଭଉଣୀଙ୍କୁ କି ନ୍ୟାୟ ମିଳୁଛି, ତାକୁ ଏବେ ଅପେକ୍ଷା।

You might also like