ବ୍ୟାରେଜକୁ ଖସିଲା କାର୍; ୨ ମୃତ, ୩ ଗୁରୁତର

ପାରଳାଖେମୁଣ୍ଡି: ଆନ୍ଧ୍ର ପ୍ରଦେଶର ଗୋଟା ବ୍ୟାରେଜକୁ ଏକ କାର୍‌ ଖସି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ୱିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି।

ମୃତକ ଦ୍ୱୟ ହେଲେ ଆନ୍ଧ୍ର ପ୍ରଦେଶ କାକିନାଡ଼ାର ଏନ୍.ଭି.ଏସ୍‌. ପବନ(୩୨) ଓ ଖମାମର ବି. ଚନ୍ଦ୍ର(୪୫)। ସେହିପରି ଗୁରୁତରମାନେ ହେଲେ କାକିନାଡ଼ାର ଏସ୍. ପ୍ରବୀଣ, ବୋବିଲିର ଏସ୍. ମହେଶ୍ୱର ରାଓ ଏବଂ ମଗୋଲତୁରୁର ପି.ଭି. ଗିରିପ୍ରସାଦ।

ସୂଚନା ଅନୁସାରେ, ମୃତାହତ ସମସ୍ତେ ଜଣେ ସାଙ୍ଗର ବାହାଘରରେ ଯୋଗ ଦେବା ପାଇଁ ପାରଳାଖେମୁଣ୍ଡି ଆସିଥିଲେ। ବାହା ଘରରେ ଯୋଗଦେଇ ସମସ୍ତେ ରାତିରେ ପାରଳାଖେମୁଣ୍ଡିରୁ କାକିନାଡ଼ା ଯାଉଥିବା ବେଳେ ଅନ୍ଧାର ଯୋଗୁ ରାସ୍ତା ପାଇପାରି ନଥିଲେ। ଫଳରେ ପାରଳାଖେମୁଣ୍ଡି ଏବଂ ଶ୍ରୀକାକୁଲମ୍‌ ମଝିରେ ଥିବା ଗୋଟା ବ୍ୟାରେଜକୁ ସେମାନଙ୍କର କାର୍ ଖସି ପଡ଼ିଥିଲା। ଆଗ ସିଟ୍‌ରେ ବସିଥିବା ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପଛ ସିଟ୍‌ରେ ବସିଥିବା ତିନି ଜଣ କୌଶଳ କ୍ରମେ କାର୍‌ରୁ ବାହାରି ପହିଁରି ପହିଁରି କୂଳକୁ ପଳାଇ ଆସିଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍‌ ଓ ମୃତଦେହକୁ ଉଦ୍ଧାର କରିଛନ୍ତି। ଏଥିସହ ଆହତମାନଙ୍କୁ ଶ୍ରୀକାକୁଲମ୍‌ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

You might also like