ପୋଲିସ ମାଡ଼ରେ ୨ ଗୁରୁତର

ବରଗଡ: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ପଧାନପାଲି ଗାଁର ୩ ଜଣ ଯୁବକଙ୍କୁ ସଦର ଥାନା ପୋଲିସ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୋଲିସ ମାଡ଼ରେ ୩ ଯୁବକ ଆହତ ହୋଇଥିବାବେଳେ ଜଣେ ଗୁରୁତର ଅଛନ୍ତି। ବରଗଡ଼ ସହର ଉପକଣ୍ଠ ପଧାନପାଲି ଗାଁର ପ୍ରମୋଦ ନାଏକ ମାଛ ଚାଷ ପାଇଁ ପୋଖରୀକୁ ଠିକା ଭାବେ ନେଇଛନ୍ତି।

ତେବେ ଗତକାଲି ରାତିରେ ପ୍ରମୋଦ ତାଙ୍କ ଭାଇ ଟିଙ୍କୁ ନାଏକ ଏବଂ ବେଦପ୍ତ ପ୍ରଧାନ ସହ ପୋଖରୀ ହୁଡାରେ ବସିଥିବା ବେଳେ ବରଗଡ଼ ସଦର ଥାନା ଆଇଆଇସି ଦିଲୀପ ବେହେରା ଏବଂ ୨ ଜଣ ବ୍ୟବସାୟୀ ପହଞ୍ଚି ସେମାନଙ୍କୁ ପ୍ରଥମେ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ଯୁବକମାନଙ୍କୁ ପ୍ଲାଷ୍ଟିକ ପାଇପ୍‌ରେ ପ୍ରବଳ ମାଡ ମାରିଥିବା ଅଭିଯୋଗ ହୋଇଛି।

ଏଥିରେ ପ୍ରମୋଦଙ୍କ ଭାଇ ଟିଙ୍କୁ ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମାଡ଼ ଯୋଗୁଁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତେବେ ଟାଉନ ଥାନା ଅଧୀନରେ ଥିବା ପଧାନପାଲିକୁ କିପରି ସଦର ଥାନା ପୋଲିସ ଆସି ମାଡ଼ପିଟ୍ କଲେ ଏବଂ ସଂପୃକ୍ତ ଥାନାଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପ୍ରମୋଦ।

ସେପଟେ ପ୍ରମୋଦ ଟାଉନଥାନାରେ ଲିଖିତ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି। ତେବେ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ କହିଛନ୍ତି। ସେପଟେ ସଦର ଥାନା ଆଇଆଇସିଙ୍କ ପ୍ରତିକ୍ରିୟା ମିଳିପାରିନି।

ରାତିରେ ଆମେ ୩ ଜଣ ପୋଖରୀ ହୁଡ଼ାରେ ବସିଥିଲୁ। ଆମ ପାଖକୁ ହଠାତ୍ ୩ଟି ଭ୍ୟାନ୍ ଆସି ପହଞ୍ଚିଲା। ଆମକୁ କୌଣସି କଥା ପଚାରିଲେ ନାହିଁ। କିଛି ବି ବୁଝିବା ଆଗରୁ ପିଟି ଚାଲିଲେ। ମୋତେ ବାଡେଇଲେ ଓ ମୋ ସହ ଅନ୍ୟ ୨ ଜଣଙ୍କୁ ବାଡେଇଲେ। ଫଳରେ ସେମାନେ ଗୁରୁତର ହୋଇପଡ଼ିଥିଲେ। ସେମାନେ ଏବେ ବି ଚିକିତ୍ସାଧୀନ ଅଛନ୍ତି। ପଧାନପଲ୍ଲୀ ଟାଉନ୍‌ ଥାନା ଅଧୀନରେ ଆସୁଛି। କିନ୍ତୁ ମାଡ଼ ମାରିଥିବା ଓଆଇସି ସଦର ଥାନାର ଥିଲେ।
-ପ୍ରମୋଦ କୁମାର ନାଏକ, ଅଭିଯୋଗକାରୀ
ଏ ସଂକ୍ରାନ୍ତରେ ଗୋଟିଏ ମାମଲା ହୋଇଛି। ତଦନ୍ତ ଆରମ୍ଭ ହୋଇଛି। ଏବେ ପ୍ରଥମିକ ସ୍ତରରେ ତଦନ୍ତ ରହିଛି। ତଦନ୍ତ ପରେ ହିଁ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ। 
-ସଦାନନ୍ଦ ପୂଜାହାରୀ, ଆଇଆଇସି ଟାଉନଥାନା, ବରଗଡ଼

ପୋଲିସ୍‌ର ଦବଙ୍ଗଗିରି ନେଇ ଅନେକ ଖବର ସାମନାକୁ ଆସିଛି। ନିକଟରେ ହାଜତ ମୃତ୍ୟୁ ସବୁଠୁ ଚର୍ଚ୍ଚାର ବିଷୟ ହୋଇଛି।

You might also like