ମାତିଲେ ହାତୀପଲ: ୨ ଜଣଙ୍କୁ ମାରିଲେ,ନର୍ସରୀକୁ ଧ୍ୱଂସ କଲେ

ହାତୀ ଉପଦ୍ରବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନାର ତାଳଗଡ଼ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ୫ଟା ବେଳେ ତାଳଗଡ଼ର ମମତା ସେଠୀ ଆମ୍ବ ଗୋଟାଇବାକୁ ତୋଟାକୁ ଯାଇଥିଲେ। ପୂର୍ବରୁ ସେହି ସ୍ଥାନରେ ଥିବା ଏକ ଦନ୍ତା ହାତୀ ହାବୁଡ଼ରେ ମମତା ପଡିଯାଇଥିଲେ। ହାତୀଟି ମମତାଙ୍କୁ ଆକ୍ରମଣ କରି ଦଳି ଦେଇଥିଲା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଓ ଗାଁ ଲୋକେ ବହୁ ଖୋଜାଖୋଜି ପରେ ଆମ୍ବ ତୋଟାରୁ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପାଇଥିଲେ, ହେଲେ ଏବେସୁଦ୍ଧା ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।

ସେପଟେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ୍ ଲୁହାପଙ୍କ ପଞ୍ଚାୟତର ଜରିପାଣି ଗାଁରେ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳ ମହୁଲମାଲର ଧନୁ ଦେହୁରୀ। ହଜି ଯାଇଥିବା ଗାଈକୁ ଖୋଜିବା ଲାଗି ଧନୁ ଲୁହାପଙ୍କ ଆସିଥିବାବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ତାଙ୍କୁ ହାତୀଟି କଚାଡ଼ି ମାରିଥିବା କୁହାଯାଉଛି। ମୃତଦେହ ପାଖରେ ହାତୀ ଜଗିଥିବାରୁ ଶବ ଜବତ ହୋଇପାରିନି। ତେବେ ଧନୁଙ୍କ ସହ ଆସିଥିବା ଆଉ ଜଣେ ବ୍ୟକ୍ତି ରାହସ ମିର୍ଦ୍ଧା ସାମାନ୍ୟ ଆହତ ହୋଇ ହାତୀ କବଳରୁ ବର୍ତ୍ତି ଯାଇଛନ୍ତି।

ଏପଟେ, କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜର ମୂଷାନାଳ ଓ ଲାଞ୍ଜିଗଡ଼ ସେକ୍ସନରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଗତକାଲି ବିଳମ୍ବିତ ରାତିରେ ୧୦ରୁ ୧୨ ଟିକିଆ ହାତୀପଲ ଆସି ଛତ୍ରପୁର ପଞ୍ଚାୟତ ଟାଙ୍ଗନକଣା ଗାଁ ଡ୍ୟାମ ପାଖରେ ଥିବା ଗୋଟିଏ ନର୍ସରୀକୁ ଧ୍ୱଂସ କରି ଦେଇଛନ୍ତି। ହାତୀପଲ ନର୍ସରୀ ଭିତରେ ପଶି ଚାରା ଗଛକୁ ନଷ୍ଟ କରି ଦେଇଛନ୍ତି। ସେହିପରି ଲାଞ୍ଜିଗଡ଼ ପଞ୍ଚାୟତର ଗାଇପଟା ଗାଁରେ ଗୋଟିଏ ଆମ୍ବ ବଗିଚାରେ ପଶି ତାଣ୍ଡବଲୀଳା ରଚିଛନ୍ତି ହାତୀପଲ। ଅନେକ ଆମ୍ବ ଗଛକୁ ଭାଙ୍ଗି ଦେଇଛନ୍ତି। ସକାଳୁ ସକାଳୁ ହାତୀପଲ ଝିମିରି ଜଙ୍ଗଲକୁ ଫେରି ଯାଇଥିବା ଜଣାପଡ଼ିଛି

You might also like