ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଯାଇଥିଲେ, ଚାପିଦେଲା ଟ୍ରକ
କଲ୍ୟାଣସିଂହପୁର: ଏମିତି ବି ଆସେ ମୃତ୍ୟୁ। ଅନ୍ୟକୁ ଉଦ୍ଧାର କରିବାକୁ ଯାଇଥିଲେ ହେଲେ ମୃତ୍ୟୁ ସେମାନଙ୍କ ହାତଧରି ଡାକିନେଲା। ଏମିତି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କାଳିଆପଡା ଘାଟିରେ। ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କରିବାକୁ ଯାଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।
କଳାହାଣ୍ଡି ଜିଲ୍ଲା ଟିକିଲି ଥାନା କାଳିଆପଡ଼ା ଘାଟିରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। କଳାହାଣ୍ଡିରୁ କାମ ସାରି ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଫେରୁଥିଲେ ୪ ଜଣ ଶ୍ରମିକ। ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ଏଥିରେ ଥିବା ୨ ଜଣ ଶ୍ରମିକ ଚାପି ହୋଇ ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ ଆଉ ୨ ଜଣ ଯୁବକ। ଏହି ସମୟରେ ଅନ୍ୟ ଏକ ଟ୍ରକ୍ ଆସି ଧକ୍କା ଦେଇଥିଲା । ଫଳରେ ଉଦ୍ଧାର କରିବାକୁ ଯାଇଥିବା ଦୁଇ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସ୍ଥାନୀୟଲୋକ ଓ ପୋଲିସ ସହାୟତାରେ ଟ୍ରାକ୍ଟର ତଳୁ ଚାପି ହୋଇଥିବା ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାୟଗଡ଼ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ପୋଲିସ୍ ପହଞ୍ଚି ମାମଲାର ତନାଘନା କରୁଛି ।