ବାଇକ୍ରେ ଯାଉଥିଲେ, ପୋଲ ବାଡ଼ାରେ ପିଟି ହୋଇ ନାଳକୁ ଖସି ପଡ଼ିଲେ
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲରେ ଏକ ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।
ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ଭାରସାମ୍ୟ ହରାଇ ନାଳକୁ ଖସି ପଡ଼ିବା ଯୋଗୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ଯଦୁମଣି ପାଟଣାର ରାମଚନ୍ଦ୍ର ପ୍ରଧାନ ଓ ଅଭିଜିତ ପାଣିଗ୍ରାହୀ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ରାମଚନ୍ଦ୍ର ଓ ଅଭିଜିତ ବାଇକ୍ରେ ରେଢ଼ାଖୋଲ ସ୍ଥିତ ଘରକୁ ଫେରୁଥିଲେ। ନାକଟିଦେଉଳ ରାସ୍ତାର ଡିମିରିକୁଦାଠାରେ ଥିବା ଏକ ବୁଲାଣି ପୋଲ ନିକଟରେ ବାଇକ୍ଟି ପୋଲ ବାଡ଼ାରେ ପିଟି ହୋଇଯାଇଥିଲ। ଏହାପରେ ବାଇକ୍ ସହ ଉଭୟ ନାଳକୁ ଖସି ପଡ଼ିଥିଲେ।
ଆଜି ସକାଳେ ନାଳରେ ୨ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୋଲିସ୍କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ୨ ମୃତଦେହ ଓ ବାଇକ୍ ଉଦ୍ଧାର କରିଛି।