ଗାଡ଼ି ପାର୍କିଂ ବେଳେ ଟ୍ରାନ୍ସଫର୍ମରରେ ପିଟି ହେଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର

ବ୍ରହ୍ମପୁର: ଟ୍ରାନ୍ସଫର୍ମରରେ ଟ୍ରକ୍‌ ପିଟି ହେବା ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର  ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ସୁନାପୁର ଥାନା ଅନ୍ତର୍ଗତ ଅନନ୍ତରାୟପୁରରେ ଗତକାଲି ରାତିରେ ଏହି ଅଘଟଣ ଘଟିଛି। ମୃତକ ଦ୍ୱୟ ହେଲେ ତାମିଲନାଡୁ ଅଞ୍ଚଳର ଡ୍ରାଇଭର ପଂଖିଲ ନାଥନ ସୁବ୍ରମଣ୍ୟମ ଓ ସୁପରଭାଇଜର ମଧମ କୁମାର ମୁଥୁଗଞ୍ଜନ।

ସୂଚନା ଅନୁସାରେ, ଗତକାଲି ରାତିରେ ଏମାନେ ଅନ୍ତନରାୟପୁର ଗାଁରେ ପହଞ୍ଚି ମାଛ ଲୋଡ଼ କରିବା ପାଇଁ ଟ୍ରକକୁ ପାର୍କିଂ କରୁଥିଲେ। ଏହି ସମୟରେ ହେଲ୍‌ପର୍‌ ଜଣକ ଗାଡିରୁ ଓହ୍ଲାଇ ଗାଡ଼ିକୁ ବ୍ୟାକ୍ କରାଇବାରେ ସହାୟତା କରୁଥିଲେ। ଅନ୍ଧାର ଯୋଗୁ ଟ୍ରାନ୍ସଫର୍ମର ନ ଦିଶିବାରୁ ଟ୍ରକ୍ ‌ଟ୍ରାନ୍ସଫର୍ମରରେ ପିଟି ହୋଇଯାଇଥିଲା। ଫଳରେ ହେଲ୍‌ପର୍‌ ଜଣକ ବିଦ୍ୟୁତ ଆଘାତରେ ତଳେ ପଡ଼ିଯାଇଥିଲେ। ହେଲ୍‌ପର୍ ଜଣକ ତଳେ ପଡ଼ିଯିବା ଦେଖି ଗାଡ଼ିରୁ ବାହାରକୁ ଆସିବା ବେଳେ ଗାଡ଼ିର ଡୋର୍‌ ଧରିବାରୁ ବିଦ୍ୟୁତ୍‌ ଆଘାତରେ ଡ୍ରାଇଭର ପଂଖିଲ ଓ ସୁପରଭାଇଜର ମଧମଙ୍କ ମୃତ୍ୟୁ ଘଟିଥିଲା।

ଗାଁ ଲୋକେ ବିଦ୍ୟୁତ ବିଭାଗ ଓ ପୋଲିସ୍‌ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି MKCG ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଡ୍ରାଇଭର ଓ ସୁପରଭାଇଜରଙ୍କୁ ମୃତ ଘୋଷଣା କରିଥିଲେ। ହେଲ୍‌ପର୍‌ ଏବେ ଚିକିତ୍ସାଧୀନ ଅଛନ୍ତି। ସମସ୍ତ ମୃତାହତ ତାମିଲନାଡୁ ଅଞ୍ଚଳର ବୋଲି ସୂଚନା ମିଳିଛି। 

You might also like