‘କରୋନା’କୁ ନେଇ ରାଜ୍ୟ ସରକାରଙ୍କ ଆଡଭାଇଜରି ଜାରି, ଏସ୍‌ସିବିରେ ୨ ‘କରୋନା’ ସନ୍ଦିଗ୍ଧ ଭର୍ତ୍ତି

କଟକ: କାୟା ମେଲାଉଛି ‘କରୋନା’ ଭାଇରସ୍‌। ଭାରତରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଏପରି ସ୍ଥିତିରେ କରୋନା ପରି ଲକ୍ଷଣ ଦେଖାଯିବାରୁ ଏସ୍‌ସିବିରେ ୨ ଜଣ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକର ନମୁନା ପରୀକ୍ଷା ପାଇଁ ଲାବୋରୋଟାରିକୁ ପଠା ଯାଇଥିବା ବେଳେ ଆଜି ଆଉ ଜଣକର ନମୁନା ପଠାଯିବ ବୋଲି ଜଣାପଡ଼ିଛି ।

ରାଜ୍ୟରୁ ସମୁଦାୟ ୫ ଜଣଙ୍କ ନମୁନା ପୁଣେ ଭାଇରଲୋଜି ଲ୍ୟାବକୁ ପଠାଯାଇଥିଲା। ୫ଟି ନମୁନାରୁ ୪ଟି ରିପୋର୍ଟ ନେଗେଟିଭ ଆସିଥିବା ଡିଏମ୍ଇଟି ସୂଚନା ଦେଇଛନ୍ତି। ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିବା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ଏଯାଏ ଆସିନାହିଁ।

ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଭାଇରସ୍‌କୁ ନେଇ ଆଡଭାଇଜରି ଜାରି ହୋଇଛି। ଓଡ଼ିଶା ଆସିଥିବା ଚୀନ, ହଂକଂ, ଥାଇଲାଣ୍ଡ ଓ ସିଙ୍ଗାପୁରର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ ପାଇଁ ସରକାର ଆଡଭାଇଜରି ଜାରି କରିଛନ୍ତି। ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ୪ଟି ସ୍ଥାନରୁ ଆସିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସୂଚନା ଦେବା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସୂଚନା ପାଇଁ ଦିଆଯାଇଥିବା ଫୋନ ନମ୍ବର ହେଲା ୦୬୭୪-୨୩୯୦୪୬୬, ୯୪୩୯୯-୯୪୮୫୭, ୯୪୩୯୯-୯୧୨୨୧ ଏବଂ ୯୪୩୭୦-୪୦୫୬୪।

You might also like