ଉର୍ମିଳାଙ୍କ ଯାଦୁକରୀ: ମାଟି ଶଙ୍ଖକୁ ଦେଉଛନ୍ତି ଜୀବନ

ବାଲେଶ୍ୱର: ଏମିତି କୌଣସି ହିନ୍ଦୁ ଘର ନାହିଁ ଯାହାଙ୍କ ଠାକୁର ଘରେ ଶଙ୍ଖଟିଏ ନଥିବ। ଏହାକୁ ଅତ୍ୟନ୍ତ ପବିତ୍ର ମନେ କରାଯାଏ। ତେବେ ଶଙ୍ଖ କହିଲେ ଆମେ ସାଧାରଣତଃ ସମୁଦ୍ର ଶଙ୍ଖକୁ ହିଁ ବୁଝିଥାଉ। ଏହାକୁ ବାହାଘର, ବ୍ରତଘର ଓ ଠାକୁର ପୂଜାରେ ବ୍ୟବହାର ମଧ୍ୟ କରିଥାଉ। ହେଲେ ମାଟିରେ ତିଆରି ଶଙ୍ଖ ବିଷୟରେ ଆପଣ ଜାଣିଛନ୍ତି କି ?

ଏହି ମାଟି ତିଆରି ଶଙ୍ଖ ଭଲ ବାଜିବା ସହିତ ସମୁଦ୍ର ଶଙ୍ଖ ପରି ମଜଭୁତ୍। ଏହି ଶଙ୍ଖକୁ ବାଲେଶ୍ୱର ରେମୁଣା ବ୍ଲକ୍‌ ଅନ୍ତର୍ଗତ କୁଡ଼ିଆ ଗାଁର ଜଣେ ମହିଳା ତିଆରି କରୁଛନ୍ତି। ତାଙ୍କ ନାଁ ଉର୍ମିଳା ଦେଉରୀ।

ରାତି ପାହିଲେ କଞ୍ଚା ମାଟି ସହ ଆରମ୍ଭ ହୋଇଯାଏ ତାଙ୍କର ନିରନ୍ତର ସଂପର୍କ। ତାଙ୍କ ହାତର ଯାଦୁକରୀ ସ୍ପର୍ଶରେ ସତେ ଯେମିତି ଜୀବନ୍ତ ହୋଇଯାଆନ୍ତି ମାଟି ତିଆରି ଶଙ୍ଖ ସବୁ। ଆଉ ସେଥିରୁ ଭାସି ଆସେ ଅବିକଳ ଧ୍ୱନୀର ଅବିଶ୍ୱସନୀୟ ତରଙ୍ଗ। ଇଶ୍ୱରଙ୍କ ଇଚ୍ଛାରେ, ବୟସର ଅପରାହ୍ନରେ ଏହା ସମ୍ଭବ ହୋଇଛି ବୋଲି ଉର୍ମିଳା କହିଛନ୍ତି।

ମାଟିରେ ଶଙ୍ଖ ଗଢ଼ିବାର ଆଶା ଯେ କେତେବେଳେ ନିଶା ପାଲଟି ଯାଇଛି ତାହା ନିଜେ ବି ବିଶ୍ୱାସ କରିପାରୁ ନାହାନ୍ତି ଉର୍ମିଳା। ଦିନକୁ ପାଖାପାଖି ସେ ୧୦ରୁ ୧୨ଟି ଶଙ୍ଖ ଗଢ଼ି ଦିଅନ୍ତି। ଗୋଟିଏ ଗୋଟିଏ ଶଙ୍ଖ ଅତିବେଶୀରେ ଶହେ ଟଙ୍କାରେ ବିକ୍ରି ହୁଏ। ଯଦିଓ ଏହା ତାଙ୍କର କୌଳିକ ବୃତ୍ତି ନୁହେଁ, ତଥାପି ଉର୍ମିଳାଙ୍କ ପାଇଁ ଏକ ଛୋଟକାଟିଆ ରୋଜଗାରର ମାଧ୍ୟମ ପାଲଟିଛି। ତାଙ୍କର ସବୁଠୁ ବଡ଼ ଇଚ୍ଛା ଏ ବିରଳ କୃତୀକୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ନୂଆ ପରିଚୟ ମିଳୁ।

ଶଙ୍ଖ ଶିଳ୍ପୀ କୁହାଯାଉଥିବା ଉର୍ମିଳାଙ୍କ ଅନନ୍ୟ ପ୍ରତିଭା ପାଇଁ ଗାଁ ଲୋକେ ବି ବେଶ୍‌ ଗର୍ବ ଅନୁଭବ କରନ୍ତି। ତାଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁ ବୋଲି ସମସ୍ତେ ଆଶା ପ୍ରକଟ କରିଛନ୍ତି।

You might also like