ପୂରି ଉଠିଲା ପୁରୀ; ୯ ମାସ ପରେ ସର୍ବସାଧାରଣଙ୍କୁ ମିଳିଲା ଶ୍ରୀମନ୍ଦିର ପ୍ରବେଶ ସୁଯୋଗ

ଭୁବନେଶ୍ୱର: ହସିଲା ଶ୍ରୀକ୍ଷେତ୍ର, ହସିଲା ବଡ଼ଦାଣ୍ଡ। ଦୀର୍ଘ ୯ ମାସର ବ୍ୟବଧାନ ପରେ ସର୍ବସାଧାରଣଙ୍କ ପାଇଁ ଶ୍ରୀଜିଉଙ୍କୁ ଦର୍ଶନର ସୁଯୋଗ ସହ ଶ୍ରୀକ୍ଷେତ୍ରକୁ ପୁଣି ଫେରିଛି ଭକ୍ତଙ୍କ ଗହଳ ଚହଳ। ସକାଳ ୭ଟାରୁ ରାତ୍ରପହୁଡ଼ ପର୍ଯ୍ୟନ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ। ଏଥିସହ କୋଭିଡ କଟକଣା ଭିତରେ ଆଜିଠୁ ରାଜ୍ୟର ଅଧିକାଂଶ ମନ୍ଦିର ଖୋଲିଛି।

ଜଗତଜନଙ୍କ ପାଇଁ ଖୋଲିଛି ଜଗା ଦୂଆର। ପୂରି ଉଠିଛି ପୁରୀ। ଭକ୍ତିରେ ମନ ବି ଭରିଛି। ରତ୍ନ ସିଂହାସନରେ ତିନିଠାକୁରଙ୍କୁ ଦେଖି ଭକ୍ତିରେ ବିଭୋର ହୋଇଛନ୍ତି ଭକ୍ତ।

ମହାମାରୀ କରୋନାକୁ ପିଠି କରି ଦୀର୍ଘ ୯ ମାସ ବନ୍ଦ ରହିଥିଲା ଶ୍ରୀମନ୍ଦିର।  ଏବେ ପ୍ରଥମେ ସେବାୟତ ପରିବାର, ପରେ ପୁରୀ ବାସିନ୍ଦା, ଆଉ ଆଜିଠୁ ସର୍ତ୍ତ ଅନୁସାରେ ସମସ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଛି। ଫଳରେ ପୁରୀରେ ପୁଣି ଭକ୍ତଙ୍କ ଗହଳି ବଢି ଯାଇଛି।

କାଳିଆ ଆଖିରେ ଆଖି ମିଶେଇ ଦେଇ ଆସି କିଏ ଖୁସିରେ ଗଦ୍‌ଗଦ ହୋଇପଡୁଥିଲା। କିଏ ପୁଣି ଶ୍ରୀମନ୍ଦିର ପ୍ରବେଶ ପାଇଁ ବାଧ୍ୟତାମୂଳକ ଥିବା କୋଭିଡ୍ ନେଗେଟିଭ୍ ରିପୋର୍ଟ ଓ ପରିଚୟ ପତ୍ର ଦେଖାଇ ନପାରି ଚକାଆଖି ଦର୍ଶନରୁ ବଞ୍ଚିତ ହେବା ଦୁଃଖରେ ସିଂହଦୁଆରେ ମୁଣ୍ଡ ପିଟୁଥିଲା।

କରୋନା କାଳରେ ଶ୍ରୀମନ୍ଦିରକୁ ସର୍ବସାଧାରଣଙ୍କ ପ୍ରବେଶର ପ୍ରଥମ ଦିନରେ ଆଜି ରାଜ୍ୟପାଳ ଗଣେଶୀଲାଲ, ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଶ୍ରୀକ୍ଷେତ୍ରକୁ ଆସିଥିଲେ ବି କୋଭିଡ୍ ନିୟମକୁ ପାଳି ଅରୁଣସ୍ତମ୍ଭ ସମ୍ମୁଖରୁ ପତିତପାବନ ଦର୍ଶନ କରି ଫେରିଥିଲେ। ହେଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏସ୍ଓପି ମାନି ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ଜଗା ଦର୍ଶନ ପରେ ରାଜ୍ୟପାଳ କହିଥିଲେ, ” ମୋ ପ୍ରାର୍ଥନା ଜଣାଇବା ପାଇଁ ମୁଁ ରାଜ୍ୟପାଳ ବାସଭବନର ସମସ୍ତ କର୍ମଚାରୀଙ୍କ ସହିତ ଭଗବାନଙ୍କ ଶ୍ରୀଚରଣରେ ଉପସ୍ଥିତ ହୋଇଛି। ଏଥିପାଇଁ ଯେ ତାଙ୍କ ଆଶୀର୍ବାଦୀ ଓଡ଼ିସାବାସୀଙ୍କ ଉପରେ ସବୁବେଳେ ଥାଉ। ”

କେବଳ ଶ୍ରୀମନ୍ଦିର ନୁହେଁ, କରୋନାର କହର କମିବା ସହ ସର୍ବସାଧାରଣଙ୍କ ପାଇଁ ଆଜିଠୁ ଜଗତ୍ସିଂହପୁର ଝଙ୍କଡ଼ର ମା’ ଶାରଳା, ସମ୍ବଲପୁରର ମା ସମଲେଶ୍ୱରୀ, କେନ୍ଦ୍ରାପଡ଼ାର ବଳଦେବ ଜୀଉ, ଭଦ୍ରକ ଆରେଡ଼ିର ଆଖଣ୍ଡଳମଣି, ଗଞ୍ଜାମର ତାରାତାରିଣୀ, ଢେଙ୍କନାଳର କପିଳାସ ଶୈବପୀଠ, ଖୋର୍ଦ୍ଧାର ବରୁଣେଇ, ଉଗ୍ରତାରା, ଭଗବତୀ ଓ କାଳିଜାଇ ସମେତ ରାଜ୍ୟର ଅଧିକାଂଶ ମନ୍ଦିର ଖୋଲିଛି। ହେଲେ ସବୁଠି କୋଭିଡ୍ କଟକଣା ସହ ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିଛି।

କଡା କୋଭିଡ୍ କଟକଣା ସହ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଛି ସତ କିନ୍ତୁ ସକାଳ ୭ଟାରୁ ରାତ୍ରପହୁଡ଼ ଯାଏଁ ବର୍ତ୍ତମାନ ପାଇଁ ଦୈନିକ କେବଳ ୧୫ରୁ ୧୭ହଜାର ଭକ୍ତଙ୍କୁ ଏ ସୁଯୋଗ ମିଳିବ। ସବୁକିଛି ଠିକ୍ ରହିଲେ ଫେବ୍ରୁଆରୀରୁ ମହାପ୍ରଭୁଙ୍କ ଦର୍ଶନ ସ୍ୱାଭାବିକ ହେବାର ସମ୍ଭାବନା ରହିଛି।

You might also like