୨୪ ଘଣ୍ଟାରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୦୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା, ରାୟଗଡ଼ା, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏ, ପୁରୀ ଜିଲ୍ଲାରୁ ୨, ଅନୁଗୁଳ, ବଲାଙ୍ଗିର ଓ ଢେଙ୍କାନାଳରୁ ଜଣେ ଲେଖାଏ ଆକ୍ରାନ୍ତ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୧୯୭କୁ ବୃଦ୍ଧି ପାଇଛି। ଗତକାଲି ରାଜ୍ୟରେ ୧୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୁଣ୍ଡ ନେଇଥିଲା କରୋନା ।

ଗତକାଲି ପରି ଆଜି ବି ଖୋର୍ଦ୍ଧା ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟାରେ ୧ ନମ୍ବରରେ ରହିଛି । ଏଠାରୁ ସର୍ବାଧିକ ୧,୩୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷେ, ରାଜ୍ୟରେ ଆଜିଠୁ ପୁଣି ଜାରି ରହିବ ଭ୍ୟାକ୍ସିନେସନ ପ୍ରକ୍ରିୟା। ରବିବାର କିଛି ସ୍ଥାନରେ ଭ୍ୟାକ୍ସିନେସନ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଏହାକୁ ତ୍ୱରାନ୍ୱିତ କରାଯିବ। କଟକରେ ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ଜବାହରଲାଲ୍ ଇନଡୋର ଷ୍ଟାଡିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ୍ ଟିକା।  ଇନଡୋର ଷ୍ଟାଡିୟମରେ ସକାଳ ୯ଟାରୁ ୧୨ଟା ଏବଂ ଦିନ ୩ଟାରୁ ସଂଧ୍ୟା ୫ଟା ଯାଏ ଟିକା ଦିଆଯିବ।  ଯେଉଁମାନେ ବୁକିଂ କରିଛନ୍ତି ସେମାନେ ନିର୍ଦ୍ଧାରିତ ସମୟରେ ଆସିବା ପାଇଁ ସିଏମସି ପକ୍ଷରୁ ନିବେଦନ କରାଯାଇଛି। ସେହିପରି ନିର୍ଦ୍ଧାରିତ ସମୟରେ ଅନ୍ୟ ସେଣ୍ଟରରେ ମଧ୍ୟ ଭ୍ୟାକ୍ସିନେସନ ପ୍ରକ୍ରିୟା ଜାରି ରହିବ।

You might also like