ଭୁବନେଶ୍ୱର: ବାତ୍ୟା ‘ବୁଲ୍ବୁଲ୍’ ଯୋଗୁ ୬ଟି ଜିଲ୍ଲାର ପ୍ରାୟ ୧୬ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି। ସେଥିମଧ୍ୟରୁ ୧୫ ଲକ୍ଷ ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ ପୁନଃସ୍ଥାପନ ହୋଇଛି। ବାକି ୧ ଲକ୍ଷ ଉପଭୋକ୍ତାଙ୍କୁ ମଙ୍ଗଳବାର ସଂଧ୍ୟା ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।
‘ବୁଲ୍ବୁଲ୍’ ପ୍ରଭାବିତ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସିଂରେ ବାତ୍ୟା ଜନିତ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ପ୍ରଭାବିତ ଅଞ୍ଚଳକୁ ଅଧିକ ଟିମ୍ ପଠାଯାଇଥିବା ଶକ୍ତି ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି।
ସେହିପରି ୪୬ଟି ବ୍ଲକ୍ ଓ ୧୨ଟି ସହରାଞ୍ଚଳରେ ରାସ୍ତାଘାଟ ସଫା କରାଯାଇଛି। ପାନୀୟ ଜଳ ଯୋଗାଣ କ୍ଷେତ୍ରରେ କୌଣସି ଅସୁବିଧା ଦେଖା ଦେଇ ନ ଥିବା ଜଣାପଡ଼ିଛି।