ସମୁଦ୍ର ପଥରେ ୫୨୦ କି.ମି. ଯାତ୍ରା ପରେ ଚନ୍ଦ୍ରଭାଗାରେ ପହଞ୍ଚିଲେ ୧୬ ମତ୍ସ୍ୟଜୀବୀ

କୋଣାର୍କ: ସମୁଦ୍ର ପଥରେ ୫୨୦ କି.ମି. ଯାତ୍ରା ପରେ ୧୬ ଜଣ ମତ୍ସ୍ୟଜୀବୀ ଚନ୍ଦ୍ରଭାଗା ଉପକୂଳରେ ପହଞ୍ଚିଛନ୍ତି। ଏକ ସ୍ୱତନ୍ତ୍ର ଡ଼ଙ୍ଗାରେନ୍ଧ୍ର ପ୍ରଦେଶ ତୁନି ଅଞ୍ଚଳରୁ ଏହି ମତ୍ସଜୀବୀମାନେ ଆସିଥିଲେ। ଏହି ମତ୍ସ୍ୟଜୀବୀଙ୍କ ମଧ୍ୟରେ ୧୧ ଜଣ କୋଣାର୍କ ଅଞ୍ଚଳର ହୋଇଥିବାବେଳେ ୫ ଜଣ ପୁରୀ ଅଞ୍ଚଳର।

ଏହି ମତ୍ସଜୀବୀମାନେ ରବିବାର ଦିନ ସେଠାରୁ ଡଙ୍ଗାରେ ବାହାରିଥିଲେ ଓ ଆଜି ସକାଳେ ଚନ୍ଦ୍ରଭାଗା ଉପକୂଳରେ ପହଞ୍ଚିବା ପରେ ଏମାନଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଇଛି। ସମସ୍ତଙ୍କ ସ୍ୱାବ୍ ପରୀକ୍ଷା କରାଯିବ ବୋଲି ଗୋପ ତହସିଲଦାର କହିଛନ୍ତି।

ମତ୍ସ୍ୟଜୀବୀମାନେ ଚନ୍ଦ୍ରଭାଗା ଉପକୂଳରେ ପହଞ୍ଚିବା କ୍ଷଣି ପୂର୍ବରୁ ସୂଚନା ପାଇ ସ୍ଥାନୀୟ ତହସିଲଦାର, ପୁଲିସ ପ୍ରମୁଖ ସେଠାରେ ପହଞ୍ଚିଥିଲେ। ମତ୍ସ୍ୟଜୀବୀମାନେ ଉପକୂଳରେ ପହଞ୍ଚିବା ପରେ ସେମାନଙ୍କୁ ଏକ ସ୍ୱତନ୍ତ୍ର ଗାଡ଼ିରେ କ୍ୱାରେଣ୍ଟିନ୍‌ ସେଣ୍ଟରକୁ ନିଆଯାଇଥିଲା।

ଏହି ମତ୍ସ୍ୟଜୀବୀ ମାନେ ଓଡ଼ିଶାରେ ରହି ସମୁଦ୍ରରେ ମାଛ ମାରି ପରିବାର ପ୍ରତିପୋଷଣ କରନ୍ତି। ଆନ୍ଧ୍ରପ୍ରଦେଶରେ ଥିବା ନିଜ ଗାଁକୁ ସେମାନେ ଯାଇଥିଲେ। ହେଲେ ଲକ୍‌ଡାଉନ୍‌ ଯୋଗୁ ସେଠାରେ ଫସି ଯାଇଥିଲେ। ଶେଷରେ ମତ୍ସ୍ୟଜୀବୀ ମାନେ ନିଜ ଖର୍ଚ୍ଚରେ ଏକ ଡଙ୍ଗା କିଣି ଗତ ରବିବାର ଦିନ ସମୁଦ୍ରପଥରେ ଯାତ୍ରା ଆରମ୍ଭ କରିଥିଲେ। ୫୨୦ କି.ମି. ଯାତ୍ରା କରି ଆଜି ସକାଳେ ସେମାନେ ଚନ୍ଦ୍ରଭାଗାରେ ପହଞ୍ଚିଥିଲେ।

You might also like