ଓଡ଼ିଶାରେ ଖୋଲିବ ୧,୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ଶିଶୁ ବିକାଶକୁ ପ୍ରାଧାନ୍ୟ ଦିଯାଉଥିବା ରାଜ୍ୟ ସରକାର କହିଛନ୍ତି। ଆଜି ବିଧାନସଭାରେ ଏନେଇ ଉତ୍ତର ରଖି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ପୁଷ୍ଟି ସାଧନ ଲାଗି ସରକାର ପ୍ରାଥମିକତା ଦେଇଛନ୍ତି। ଏଥିଲାଗି ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ୫ ଦିନ ଅଣ୍ଡା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି। ଏତଦ୍‌ବ୍ୟତୀତ ଆହୁରି ଅଧିକ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ଲାଗି ପଦକ୍ଷେପ ନିଆଯାଇଛି।

ରାଜ୍ୟରେ ଏବେ ୬୨ ହଜାର ୧୭୧ଟି ଅଙ୍ଗନବାଡ଼ି ଓ ୧୦ ହଜାର ୪୧୬ଟି ମିନି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଆଉ ୭ ହଜାର ୮୪୪ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ଲାଗି କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ତର୍ଜମା କରି ରିପୋର୍ଟ ଦେବାକୁ କହି କେନ୍ଦ୍ର ଫେରାଇ ଦେଇଛି। ଜନଜାତି ଓ ଅପପୃଷ୍ଟି ଦେଖା ଯାଉଥିବା ଅଞ୍ଚଳରେ ୧,୫୬୭ଟି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲାମାନଙ୍କୁ ମଞ୍ଜୁରୀ ଦିଆଯାଇଛି। ।

ସହରାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ଯେଉଁଠି ଜାଗା ସମସ୍ୟା ହେଉଛି, ସେଠି ଜିଲ୍ଲାପାଳମାନଙ୍କୁ କମିଟି ଗଠନ କରି ଜାଗା ଚିହ୍ନଟ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ୭ ଲକ୍ଷ ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି। ମନରେଗାରେ ୫ ଲକ୍ଷ ଓ ରାଜ୍ୟ ସରକାରଙ୍କ ଅର୍ଥରୁ ୨ ଲକ୍ଷ ଟଙ୍କା ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

You might also like