କରୋନା ଟିକା ନେବେନି ରାଜ୍ୟର ୧୫ ହଜାର ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର: କରୋନା ଟିକା ନେବେନି ରାଜ୍ୟର ୧୫ ହଜାର ସ୍ୱାସ୍ଥ୍ୟକର୍ମୀ। କ୍ୟାଡର୍ ପୁନର୍‌ଗଠନ ଓ ପଦବୀ ପରିବର୍ତ୍ତନ ଦାବିରେ ଏପରି ନିଷ୍ପତ୍ତି ନେଇଛି ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ।

ବାରମ୍ବାର ସରକାରଙ୍କ ପାଖରେ ଏହି ଦୁଇଟି ଦାବି ଜଣାଇଛନ୍ତି। ତଥାପି ଏହା ସତ୍ତ୍ୱେ କୌଣସି ସମାଧାନ ହୋଇନି। ତେଣୁ ଆସନ୍ତା ୧୬ ତାରିଖରୁ କରୋନା ଟିକାକରଣ ପ୍ରକ୍ରିୟା ବେଳେ କଳା ବ୍ୟାଜ୍ ପରିଧାନ କରି ପ୍ରତିକାତ୍ମକ ଧାରଣା ଦିଆଯିବ ବୋଲି ମହାସଂଘ ପକ୍ଷରୁ ପ୍ରେସମିଟ୍ କରି ସୂଚନା ଦିଆଯାଇଛି।

କ୍ୟାଡର୍ ପୁନର୍‌ଗଠନ ନହେବା ଦ୍ୱାରା ପଦୋନ୍ନତିରେ ସମସ୍ୟା ହେଉଥିବା ସ୍ୱାସ୍ଥ୍ୟକର୍ମୀମାନେ ଅଭିଯୋଗ କରିଛନ୍ତି।
ଯଦି ଏହି ଦାବି ପୂରଣ ନହୁଏ, ତେବେ ଫେବ୍ରୁଆରୀ ପହିଲାରୁ କାର୍ଯ୍ୟ ସହ ସିରିଞ୍ଜ ଛାଡ଼ ଆନ୍ଦୋଳନ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ସେପଟେ ଏନେଇ ବଲାଙ୍ଗିର ସିଡିଏମ୍ଓକୁ ଭେଟି ଦାବିପତ୍ର ଦେଇଛନ୍ତି ସ୍ୱାସ୍ଥ୍ୟକକର୍ମୀ।

ମମତା ନାୟକ

ଏନେଇ ରାଜ୍ୟ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ଆବାହିକା ମମତା ନାୟକ କହିଛନ୍ତି “ ଆମ ପାଇଁ ଗୋଟିଏ ପ୍ରମୋଶନ ପୋଷ୍ଟ ଅଛି। ଆମ ଚାକିରି କାଳ ସରିଯାଉଛି। ଅବସର ନେଇଯାଉଛି, କିନ୍ତୁ ପ୍ରମୋସନ ମିଳୁନାହିଁ। ଏଣୁ ଆମ କଥା ତୁରନ୍ତ ବିଚାର କରାଯାଉଛି। ଚାକିରି କାଳ ଭିତରେ ଆମକୁ ଚାରିଚାରିଟା ପ୍ରମୋସନର ବ୍ୟବସ୍ଥା କରାଯାଉ, ଡେଜିଂନେସନ ଚେଞ୍ଜ କରାଯାଉ। ଯଦି ସରକାର ଆମ କଥା ନ ବୁଝନ୍ତି ତେବେ ଆମେ କୋଭିଡ୍‌ ଟିକା ନେବୁନି।” ଏଥିସହିତ ନଭେମ୍ବର ଓ ଡିସେମ୍ବର ଏହି ଦୁଇ ମାସ ଆମେ ସରକାରଙ୍କୁ ଅଲ୍‌ଟିମେଟମ୍‌ ଦେଇଛୁ। ଏହି ସମୟ ଭିତରେ ଯଦି ସରକାର ନବୁଝନ୍ତି ତେବେ ଆମେ କୋଭିଡ୍‌ ଟିକା ବର୍ଜନ କରିବୁ ବୋଲି ସରକାରଙ୍କୁ ଜଣାଇଥିବା ମମତା ନାୟକ କହିଛନ୍ତି।

ରୀନା ମିଶ୍ର

ସେହିପରି ବଲାଙ୍ଗିର ସ୍ୱାସ୍ଥ୍ୟକର୍ମୀ ରୀନା ମିଶ୍ର ମଧ୍ୟ ଏସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି “ ସରକାର ଆମ ପ୍ରତି ସବୁବେଳେ ଅବହେଳା କରୁଛନ୍ତି। ଦୀର୍ଘ ୧୦ ବର୍ଷ ହେଲାଣି ଆମେ କ୍ୟାଡର୍ ପୁନର୍‌ଗଠନ କରିବା ପାଇଁ ସରକାରଙ୍କ ଲେଖିକି ଦେଇଛୁ। କିନ୍ତୁ ଏପର୍ଯ୍ୟନ୍ତ ସରକାର ଆମ କଥା ଶୁଣିଲେ ନାହିଁ। କ୍ୟାଡର ଅସୁବିଧା ଲାଗି ଆମେ ଫାଇନାନ୍ସିଆଲ୍‌ କି ପ୍ରମୋଶନାଲ ସୁବିଧା ପାଇପାରୁ ନାହିଁ। ତେଣୁ କରୋନା ଟିକା ନେବୁନାହିଁ ବୋଲି ଆମେ ନିଷ୍ପତ୍ତି ନେଇଛୁ।” ତେବେ ଲୋକଙ୍କୁ କରୋନା ଦେବୁ  ବୋଲୀ ରୀନା ମିଶ୍ର କହିଛନ୍ତି।

କରୋନା ଟିକାକରଣ ନେଇ କାଉଣ୍ଟ୍‌ଡାଉନ୍ ଆରମ୍ଭ ହୋଇଛି। ଜାନୁଆରୀ ୧୬ ତାରିଖରେ କୋଭିଡ୍ ଟିକାକରଣ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ପଞ୍ଜୀକୃତ ସ୍ୱାସ୍ଥ୍ୟ଼କର୍ମୀଙ୍କୁ ଟିକା ଦିଆଯିବ। ଏନେଇ ଆଜିଠୁ ସ୍ୱାସ୍ଥ୍ୟ଼କର୍ମୀଙ୍କୁ ଏସ୍ଏମ୍ଏସ୍ ଯିବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

କେଉଁଠି ଓ କେତେବେଳେ ଟିକା ଦିଆଯିବ ତାହାର ସବିଶେଷ ତଥ୍ୟ SMS ମାଧ୍ୟମରେ ସୂଚନା ଦିଆଯିବ। କରୋନା ଟିକା ରଖିବା ପାଇଁ ୪୧ଟି ଡିପ୍ ଫ୍ରିଜର ଆସି ପହଞ୍ଚିଛି। ଯାହା ଏବେ ବିଭିନ୍ନ ଜିଲ୍ଲାକୁ ପଠାଯିବ। ପ୍ରତ୍ୟେକ ଜିଲ୍ଲା ଓ କୋଲ୍ଡ ଚେନ୍ ପଏଣ୍ଟରେ ଟିକା ପହଞ୍ଚି ଯାଇଛି। ପ୍ରଥମ ଡୋଜ୍‌ରେ ୪୨ ଓ ଦ୍ୱିତୀୟ ଡୋଜ୍‌ରେ ୧୪ ଦିନ ପରେ ଶରୀରରେ ଆଣ୍ଟିବଡ଼ି ତିଆରି ହେବ। ପ୍ରଥମ ଡୋଜ୍ ପରେ କେହି ଆକ୍ରାନ୍ତ ହେଲେ ଦ୍ୱିତୀୟ ଡୋଜ୍ ଦିଆଯିବନି ବୋଲି ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

You might also like