୧୪ ଦିନିଆ ଲକଡାଉନ୍‌ ହେଲା ଓଡ଼ିଶା: କିନ୍ତୁ ଏହି ସବୁ କାମକୁ ମିଳିଛି ଅନୁମତି

ଫେରିଲା ଲକଡାଉନ୍‌

  • ରାଜ୍ୟରେ କରୋନା ସଂକ୍ରମଣକୁ ଚେକ୍ ଦେବାକୁ ବଡ଼ ନିଷ୍ପତ୍ତି
  • ଆସନ୍ତା ୫ରୁ ୧୯ ଯାଏଁ ସାରା ରାଜ୍ୟରେ ଲାଗୁ ହେବ ଲକଡାଉନ୍‌
  • ଲକଡାଉନ୍‌ ଭିତରେ ଉପଲବ୍ଧ ହେବ ସମସ୍ତ ଅତ୍ୟାବଶ୍ୟକ ସେବା
  • ରାଜ୍ୟବ୍ୟାପି ଯାତ୍ରୀବାହୀ ବସ୍ ସେବା ସଂପୂର୍ଣ୍ଣ ବନ୍ଦ
  • ଲକଡାଉନ୍‌ ସତ୍ତ୍ୱେ ରାଜ୍ୟରେ ଜାରି ରହିବ ଟେଷ୍ଟିଂ ଓ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ବେଲଗାମ୍ ହୋଇଥିବା କରୋନା ସଂକ୍ରମଣରେ ଲଗାମ୍ କସିବାକୁ ଫେରିଲା ଲକଡାଉନ୍‌। ଆସନ୍ତା ୫ରୁ ୧୯ ତାରିଖ ସକାଳ ଯାଏ ସାରା ରାଜ୍ୟରେ ଲକଡାଉନ୍‌ ଲାଗୁ ହେବ। ମୁଖ୍ୟ ଶାସନ ସଚିବ ଆଜି ୧୪ ଦିନିଆ ଲକଡାଉନ୍‌ ଘୋଷଣା କରିବା ସହିତ ଏଥିପାଇଁ ଜାରି ନିୟମାବଳୀ ସଂପର୍କରେ ସୂଚନା ଦେଇଛନ୍ତି। ଏହି ସମୟରେ ଯାତ୍ରୀବାହୀ ବସ୍ ସେବା ସଂପୂର୍ଣ୍ଣ ବନ୍ଦ ରହିବ। ତେବେ ଲୋକମାନେ ଘରଠାରୁ ୫୦୦ ମିଟର ଦୂର ଭିତରେ ଚାଲି ଚାଲି ଯାଇ ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ। ତେବେ ଲକଡାଉନ୍‌ ସମୟରେ ଟିକାକରଣ ଓ ଟେଷ୍ଟିଂ ଜାରି ରହିବ।

ଲକଡାଉନ୍‌ ସମୟରେ ଗ୍ୟାରେଜ୍, ଗାଡ଼ି ମରାମତି ଦୋକାନ, ଗୋଖାଦ୍ୟ, ବିହନ ଓ ସାର ଦୋକାନ ତଥା ଗୋଦାମ ଖୋଲା ରହିବ। ସେହିପରି ଲୁହାଛଡ଼, ସିମେଣ୍ଟ, ବହି ଦୋକାନ,ଫ୍ୟାନ୍ ଏସି ଭଳି ଇଲେକ୍‌ଟ୍ରି ଜିନିଷ, ମୋବାଇଲ୍, କମ୍ୟୁଟର ମରାମତି ଦୋକାନ ଆଦି ଖୋଲା ରହିବ। ଇଲେକ୍‌ଟ୍ରିସିଆନ୍‌, ଆଇଟି ସାମଗ୍ରୀ ମରାମତି କରୁଥିବା ବ୍ୟକ୍ତି, ପାଣିପାଇପ ମିସ୍ତ୍ରୀ, କାର୍ପେଣ୍ଟର କାମ କରିବାକୁ ଯାଇପାରିବେ। ସକାଳ ୫ରୁ ୮ଟା ଯାଏଁ ଖବରକାଗଜ ବିତରଣ ହୋଇପାରିବ। ଏହାସହ ମାଲ୍ ପରିବହନ ଚାଲୁ ରହିବା ସହିତ ପେଟ୍ରୋଲପମ୍ପ, ରନ୍ଧନ ଗ୍ୟାସ୍ ଯୋଗାଣକୁ ଅନୁମତି ଦିଆଯିବ।

ବ୍ୟାଙ୍କ ଓ ଏଟିଏମ୍ ସେବା ବି ମିଳିବ। ତେବେ ପୂର୍ବଭଳି ଶନି ଓ ରବିବାର ସଂପୂର୍ଣ୍ଣ ସଟ୍‌ଡାଉନ୍‌ ଜାରି ରହିବ। ଅନ୍ୟପକ୍ଷରେ ସପ୍ତାହର ସବୁଦିନ ଟିକାକରଣ ଓ ଟେଷ୍ଟିଂ କାର୍ଯ୍ୟ ଚାଲୁ ରହିବ। ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ଏବଂ ଟେଷ୍ଟିଂ ପାଇଁ ନିକଟସ୍ଥ ଟେଷ୍ଟିଂ ସେଣ୍ଟରକୁ ଯାଇପାରିବେ।

ଲକଡାଉନ ବେଳେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବସ୍ ଚାଲିପାରିବନି। ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। କେବଳ ମେଡିକାଲ୍ କାର୍ଯ୍ୟ ବ୍ୟତିତ ଅନ୍ୟ ସବୁ ଆତଯାତ ମନା। ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ଓ ଟ୍ରେନିଂ ସେଣ୍ଟର ବନ୍ଦ ରହିବ। ପ୍ରଦର୍ଶନୀ, ମେଳା, ବ୍ୟବସାୟ ଭିତ୍ତିକ ମିଟିଂ ଉପରେ ଲଗାଯାଇଛି କଟକଣା। ସିନେମା ହଲ୍, ମଲ୍, ମାର୍କେଟ କଂପ୍ଲେକ୍ସ, ଜିମ୍, ଯାତ୍ରା, ଅପେରା, ଖୋଲାମଞ୍ଚ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। ଏହା ସହ ସେଲୁନ୍, ପାର୍ଲର, ସ୍ପା ବି ଖୋଲିବ ନାହିଁ। ସାମାଜିକ, ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶ ବନ୍ଦ ରହିବ। ବିବାହ କାର୍ଯ୍ୟ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣିବାକୁ ପଡ଼ିବ। ଏହାବ୍ୟତୀତ ସାପ୍ତାହିକ ଏବଂ ଦୈନିକ ହାଟ ଉପରେ ମଧ୍ୟ କଟକଣା ଲଗାଯାଇଛି। ଏଥି ପାଇଁ ପୁଲିସ ପ୍ରଶାସନ ମଧ୍ୟ ସବୁ ପ୍ରକାର ପ୍ରସ୍ତୁତ ଥିବା କହିଛନ୍ତି ଡିଜିପି ଅଭୟ l

ଲକଡାଉନ ବେଳେ ପିପିଲି- ଉପନିର୍ବାନ ସଂପର୍କିତ କାର୍ଯ୍ୟକୁ ଅନୁମତି ମିଳିବ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଲୋକେ ଯାଆସ କରିପାରିବେ। ଅନ୍ୟପକ୍ଷରେ କରୋନାର ପ୍ରକୋପ ବଢୁଥିବାରୁ ବାହାରୁ ଆସୁଥିବା ଲୋକମାନଙ୍କୁ ହୋମ୍ କ୍ୱାରେଣ୍ଟିନରେ ରଖିବାକୁ ସରପଞ୍ଚମାନଙ୍କୁ ପରାମର୍ଶ ଦିଆଯାଇଛି। ଯାହାର ଘରେ ବ୍ୟବସ୍ଥା ନଥିବ, ସରକାରୀ କ୍ୱାରେଣ୍ଟିନରେ ରଖିବାକୁ କୁହାଯାଇଛି।

You might also like