‘ବିନା କାରଣରେ କଟକ-ଭୁବନେଶ୍ୱର ଭିତରକୁ ପ୍ରବେଶ କରିପାରିବନି ଗାଡ଼ି’
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ଟି ଜିଲ୍ଲା ଯଥା-ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଏବଂ ରାଉରକେଲା ମହାନଗର ନିଗମରେ ଆଜି ରାତି ୯ଟାରୁ ୧୪ ଦିନିଆ ଲକ୍ଡାଉନ୍ କଟକଣା ଲାଗୁ ହେବ। ଆଜି ରାତି ୯ଟାରୁ ଜୁଲାଇ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍ଡାଉନ୍ କଟକଣା ଜାରି ରହିବ।
ତେବେ ଏହି ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ସପ୍ତାହାନ୍ତ(ପ୍ରତି ସପ୍ତାହର ଶନିବାର ଓ ରବିବାର)ସଟ୍ଡାଉନ୍ କଟକଣାକୁ ହଟାଇ ଦିଆଯାଇଛି। ବାକି ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଟ୍ଡାଉନ୍ କଟକଣା ପୂର୍ବଭଳି ବଳବତ୍ତର ରହିବ।
ଲକ୍ଡାଉନ୍ ସମୟରେ ଭୁବନେଶ୍ୱର ଓ କଟକ ଭିତରକୁ ଜରୁରୀ କାରଣ ନ ଥିଲେ କୌଣସି ଗାଡ଼ିକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଖାଲି କଟକ-ଭୁବନେଶ୍ୱର ନୁହେଁ ବରଂ ଏହି ଲକ୍ଡାଉନ୍ ସମୟରେ ବିନା କାରଣରେ ଲୋକମାନେ ଯିବାଆସିବା କରିପାରିବେ ନାହିଁ।
ଲକ୍ଡାଉନ୍ ସମୟରେ ଅତ୍ୟାବଶ୍ୟକକୁ ଛାଡ଼ି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍ ଓ ଅନ୍ୟାନ୍ୟ ଅନୁଷ୍ଠାନ ବନ୍ଦ ରହିବ। କ୍ଷୀର, ପରିବା, ତେଜରାତି ଦୋକାନ ଆଦି ସକାଳ ୬ଟାରୁ ଦିନ ଗୋଟାଏ ଯାଏ ଖୋଲା ରହିବ।
୪ ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଲାଗୁ ହୋଇଥିବା ଏହି ୧୪ ଦିନିଆ ଲକ୍ଡାଉନ୍ ସମୟରେ ବ୍ୟାପକ ମାତ୍ରାରେ ସର୍ଭେଲାନ୍ସ ଓ ଟେଷ୍ଟିଂ କରାଯିବ। ତେଣୁ ଲୋକମାନେ ଏହି ଲକ୍ଡାଉନ୍ କଟକଣା ମାନିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି। ଆଉ ଯେଉଁମାନେ ଏହି କଟକଣା ନ ମାନନ୍ତି ତା’ହେଲେ ଆଇନ୍ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।