ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା; ଦିନକରେ ୧,୩୭୯ ପଜିଟିଭ୍ ଚିହ୍ନଟ

  • ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୩୭୯ ନୂଆ କରୋନା ପଜିଟିଭ୍ ଚିହ୍ନଟ
  • କ୍ୱାରେଣ୍ଟିନରେ ୮୦୮ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୫୭୧ ରହିଛି
  • ସୁନ୍ଦରଗଡ଼ରୁ ସର୍ବାଧିକ ୩୧୭ ଜଣ ଆକ୍ରାନ୍ତ ଚିହ୍ନଟ
  • ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯,୫୬୧ରେ ପହଞ୍ଚିଲା

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ୧,୩୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୩୭୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୮୦୮ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୫୭୧ ରହିଛି।

ସୁନ୍ଦରଗଡ଼ରୁ ସର୍ବାଧିକ ୩୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୮ ଜଣ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯,୫୬୧ରେ ପହଞ୍ଚିଛି। ଆକ୍ଟିଭ୍‌ କେସ୍-୭,୯୭୯ ଥିବାବେଳେ ୩ ଲକ୍ଷ ୩୯ ହଜାର ୬୦୩ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି

ଗତକାଲି ରାଜ୍ୟରେ ୧,୩୭୪ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଥିଲା

ସେପଟେ, ଦେଶର ବିଭିନ୍ନ ସ୍ଥାନରୁ ଓଡ଼ିଶା ଆସୁଥିବା ରେଳଯାତ୍ରୀଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଗତକାଲିଠୁ ଏହି ନିୟମ ଲାଗୁ ହୋଇଛି।  ରେଳ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ RTPCR ଟେଷ୍ଟ କରାଇବେ ଯାତ୍ରୀ।

ଓଡ଼ିଶାରେ କରୋନାର ଦ୍ରୁତ ସଂକ୍ରମଣକୁ ଦେଖି ଛତିଶଗଡ଼ ସୀମାକୁ ସିଲ୍ କରାଯାଇଛି। ଛତିଶଗଡ଼କୁ ବସ୍ ସେବା ମଧ୍ୟ ଗତକାଲି ଠାରୁ ବନ୍ଦ ହୋଇଛି। ଏହି ପଡ଼ୋଶୀ ରାଜ୍ୟରେ କରୋନା ବିସ୍ଫୋରକ ସ୍ଥିତିରେ ଥିବାରୁ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଫୋକସ୍ କରାଯାଇଛି।

କୋଭିଡ୍ ନିମୟ ମାନୁନଥିବା ଅମାନିଆଙ୍କୁ ସାବାଡ଼ କରିବାକୁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି। ପୋଲିସ୍‌ ଆଖିରେ ଧୂଳି ଦେଇ ମାସ୍କ ପିନ୍ଧୁ ନଥିବା ତଥା ସାମାଜିକ ଦୂରତ୍ୱ ରକ୍ଷା କରୁ ନଥିବା ଲୋକଙ୍କୁ ଏଣିକି ନିସ୍ତାର ନାହିଁ । ସିସିଟିଭି ଆଧାରରେ ଅମାନିଆଙ୍କ ନିକଟରେ ପହଞ୍ଚିବା ସହ ତାଙ୍କ ଠାରୁ ଫାଇନ୍ କଟାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜିଠୁ ଆସନ୍ତା ୧୪ ତାରିଖ ଯାଏ ସାରା ଦେଶରେ ଟିକା ଉତ୍ସବ ପାଳନ ହେବ। ମହାନ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କ ଜୟନ୍ତୀରୁ ଏହି ଟିକା ଉତ୍ସବ ଆରମ୍ଭ ହୋଇ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ଶେଷ ହେବ। ଯୋଗ୍ୟ ବିବେଚିତ ଲୋକମାନଙ୍କୁ କେମିତି ଅଧିକରୁ ଅଧିକ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇପାରିବ ସେ ନେଇ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି।

You might also like