୧୧ ବର୍ଷ ହେଲାଣି ଆଖିପତା ପଡ଼ୁନି, ବଞ୍ଚି ଥାଉ ଥାଉ ନର୍କ ଯନ୍ତ୍ରଣା ଭୋଗୁଛି ସିଦ୍ଧାନ୍ତ

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସାହାଯ୍ୟ ପାଇଁ ସରକାରଙ୍କ ନିକଟରେ ଗୁହାରୀ କଲେ ଅସହାୟ ବାପାମା‘

ବୟସ ବଢ଼ୁଛି, ଯନ୍ତ୍ରଣା ବଢ଼ୁଛି

ଦଶ ବର୍ଷ ହେଲାଣି ପଡ଼ୁନି ଶିଶୁର ଆଖିପତା 

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୁନି କୁନି ପିଲାଙ୍କର ଆଖି ଖୁବ ସୁନ୍ଦର ହୋଇଥିଲେ ହେଁ, ଏହି କୁନି ନିଷ୍ପାପ ପିଲାଟିର ଫଟୋ ଦେଖିବାକୁ ଅସହଜ ମନେ ହେଉଥିବାରୁ ଆଖିରେ ପଟି ଦିଆଯାଇଛି। ପଢ଼ନ୍ତୁ ସିଦ୍ଧାନ୍ତର ଦୁଃଖଭରା କାହାଣୀ . . . .

ଫୁଲବାଣୀ(ତ୍ରିନାଥ ସାହୁ): ଅଭାବୀ ପରିବାର ଉପରେ ଦାଉ ସାଧୁଛି ସାଂଘାତିକ ଆଖି ରୋଗ। ଅସହ୍ୟ ଯନ୍ତ୍ରଣାରେ ଛଟପଟ୍ ହେଉଛି ୧୨ ବର୍ଷର ପୁଅ। ଦୀର୍ଘ ବର୍ଷ ହେଲାଣି ଶାନ୍ତିରେ ଶୋଇପାରୁନି। ଦିନେ ନୁହେଁ କି ଦୁଇ ଦିନ ନୁହେଁ ପ୍ରାୟ ୧୦/୧୧ ବର୍ଷ ହେଲାଣି ଘଡ଼ିଏ ପାଇଁ ବି ତା’ର ଆଖି ପତା ପଡ଼ୁନି। ଏକ ସାଂଘାତିକ ଚକ୍ଷୁ ରୋଗରେ ପଡ଼ି ଭୀଷଣ କଷ୍ଟ ପାଉଛି । ବୟସ ବଢିବା ସଙ୍ଗେ ସଙ୍ଗେ ଆଖିଡୋଳା ମଧ୍ୟ ବଢିବାରେ ଲାଗିଛି। ଏପରିସ୍ଥଳେ ପୁଅଟିର ଜୀବନ ପ୍ରତି ବିପଦ ବଢୁଥିବା ବେଳେ ଚିକିତ୍ସା ପାଇଁ ବର୍ତମାନ ଅର୍ଥ ସାଜିଛି ବାଧକ। ପୁଅର କଷ୍ଟ ଦେଖି ବାହୁନି ବାହୁନି କାନ୍ଦୁଛି ମାଆ, ଅସହାୟ ହୋଇ ବିକଳ ହେଉଛନ୍ତି ବାପା।

କନ୍ଧମାଳ ଜିଲ୍ଲା ଗୁମାଗଡ଼ ଗ୍ରାମର ଲଡୁକିଶୋର ମହାନ୍ତିଙ୍କ ୧୨ବର୍ଷର ପୁଅ ସିଦ୍ଧାନ୍ତ ପ୍ରସାଦ ମହାନ୍ତି । ଭୀଷଣ ସାଂଘାତିକ ଚକ୍ଷୁ ରୋଗର ପୀଡ଼ିତ। ପୁଅ ଜନ୍ମରୁ ଚକ୍ଷୁ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ,ଦେଢ ବର୍ଷ ବୟସରୁ ତାଙ୍କ ଦୁଇ ଆଖିର ସମସ୍ୟା ବଢିବାରେ ଲାଗିଛି । ପ୍ରଥମେ ଆଖିଡୋଳା ବଢିଥିଲା, ଆଉ ଏବେ ସେ ଆଖିପତା ପକାଇ ପାରୁନି । ଆଖି ପାଇଁ ଶରୀରରେ ଅନ୍ୟ ସମସ୍ୟା ମଧ୍ୟ ବଢିବାରେ ଲାଗିଛି। ହାତଗୋଡ଼ ବଙ୍କା ହେବାରେ ଲାଗିଛି । ଖରାକୁ ଦେଖିଲେ ଆଖି ବିନ୍ଧୁଛି,କାନକୁ ଠିକ ଭାବେ ଶୁଭୁନାହିଁ । ଏଭଳି ବିଭିନ୍ନ ସମସ୍ୟାରେ ପଡ଼ି ସିଦ୍ଧାନ୍ତ ଅସହ୍ୟ କଷ୍ଟ ଭୋଗୁଛନ୍ତି । ବର୍ତ୍ତମାନ ଭଲରେ ନିଶ୍ଵାସପ୍ରଶ୍ଵାସ ନେଇପାରୁନଥିବା କଥା ମଧ୍ୟ ସେ କହିଛନ୍ତି ।

ବାପା ଜଣେ ଗରିବ ଶ୍ରେଣୀର ଲୋକ ଏବଂ ଗୋଟିଏ ଠେଲାଗାଡିରେ ଜଳଖିଆ ବିକ୍ରି କରି ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳାନ୍ତି। ତେବେ ଅଭାବ ଅନାଟନ ସତ୍ୱେ ପୁଅର ଚିକିତ୍ସାରେ ଟିକିଏ ବି ଊଣା କରିନାହାନ୍ତି। ଓଡ଼ିଶାର କିଛି ବଡ଼ ମେଡ଼ିକାଲରେ ଦେଖାଇବା ପରେ ରାଜ୍ୟ ବାହାରକୁ ନେବାପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ହେଲେ ସମ୍ବଳ ଅଭାବରୁ ରାଜ୍ୟ ବାହାରକୁ ନେଇ ଚିକିତ୍ସା କରାଇବା ତାଙ୍କ ପକ୍ଷେ ସମ୍ଭବପର ହୋଇପାରୁନି। ଏପରିସ୍ଥଳେ ପୁଅ ପାଇଁ  ବାପା କନ୍ଧମାଳ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ବ କରି ଏମ.ପି,ଏମ.ଏଲ.ଏ ଏବଂ ଅନ୍ୟାନ୍ୟ ଲୋକ ପ୍ରତିନିଧି ମାନଙ୍କୁ ବହୁ ଗୁହାରୀ ଜଣାଇ ସାରିଛନ୍ତି। କିଏ ହଜାରେ ଦଉଛି ତ ଆଉ କିଏ ଦୁଇ ହଜାର, ଯାହା ସମୁଦ୍ରକୁ ଶଙ୍ଖେ ପରି। ତେଣୁ ତାଙ୍କ ପୁଅର ଚିକିତ୍ସା ପାଇଁ ସରକାରୀ ସାହାଯ୍ୟ ଭିକ୍ଷା କରିଛନ୍ତି ଅସହାୟ ବାପାମା‘।

ତେବେ ସିଦ୍ଧାନ୍ତର ଚିକିତ୍ସା ପାଇଁ ଯଦି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହାନ୍ତି, ତେବେ ଏହି ଠିକଣାରେ ସହଯୋଗ କରିପାରିବେ ।

ନାମ –ଲଡୁକିଶୋର ମହାନ୍ତି

ଗ୍ରାମ/ପୋଷ୍ଟ-ଗୁମାଗଡ଼

ଜିଲ୍ଲା-କନ୍ଧମାଳ

ମୋବାଇଲ ନମ୍ବର-8763420485

UCO Bank Account Number-148532211003915

IFSC Code no-UCBA0001485

You might also like