ତେଜିଲା ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି

ବଲାଙ୍ଗିର/ଝାରସୁଗୁଡ଼ା: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି କୋଶଳ ମହାବନ୍ଦ ଡାକରା ଦିଆଯାଇଛି। ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ଏହି ବନ୍ଦ ପାଳନ ହେଉଛି। ବଲାଙ୍ଗିରରେ କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ବନ୍ଦ ପାଳନ ହେଉଥିବା ବେଳେ ଏହି ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ ସଂଗଠନ ଲାଗି ପଡ଼ିଛନ୍ତି।

ସକାଳ ୬ଟାରୁ ଆରମ୍ଭ ହୋଇଥିବା ବନ୍ଦ ପାଳନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଆଜି ସକାଳୁ ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପିକେଟିଂ କରିଛନ୍ତି।

ଡାକବାଜି ଯନ୍ତ୍ର ସାହାଯ୍ୟରେ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ବନ୍ଦରେ ସାମିଲ ହେବା ଲାଗି ଆନ୍ଦୋଳନକାରୀ ଆହ୍ୱାନ ଦେଇଛନ୍ତି। ଘୂଣ୍ଣିଝଡ଼ ପେତାଇ ପ୍ରଭାବରେ ବର୍ଷା ହେଉଥିବା ସତ୍ତ୍ୱେ ଆନ୍ଦୋଳନକାରୀମାନେ ବନ୍ଦ ପାଳନରେ ସାମିଲ ହୋଇଛନ୍ତି।

ସେହିପରି ଝାରସୁଗୁଡ଼ାରେ ମଧ୍ୟ ଏହି ବନ୍ଦ ପାଳନ ହେଉଛି। ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ବସ୍‌ ଚଳାଚଳ ବନ୍ଦ ରହିଛି। ରେଲୱେ ଷ୍ଟେସନ୍‌ ଛକ ନିକଟରେ ଆନ୍ଦୋଳନକାରୀମାନେ ଆନ୍ଦୋଳନ ଚଳାଇଛନ୍ତି। ତେବେ ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ବାଦ୍‌ ଦିଆଯାଇଛି।

You might also like