‘ଫୋନି’ କ୍ଷୟକ୍ଷତିର ଆକଳନ କରିବ କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର: ବାତ୍ୟା ‘ଫୋନି’ର କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତରେ ଆସିଛନ୍ତି। ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୧୧ ଜଣିଆ ଟିମ୍ ୨ ଭାଗ ହୋଇ ‘ଫୋନି’ ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ।
ଟିମ୍ ପ୍ରଥମେ ସଚିବାଳୟରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହ ଆଲୋଚନା କରିବେ। ସେଠାରେ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ କେନ୍ଦ୍ରୀୟ ଟିମ୍କୁ ଅବଗତ କରାଇବେ। ଏସ୍ଆର୍ସି ବାତ୍ୟା ‘ଫୋନି’ ନେଇ ଆଇଏମ୍ଡିର ପୂର୍ବାନୁମାନ ଅନୁସାରେ କ’ଣ ପଦକ୍ଷେପ ଗ୍ରହଣ କରିଛି, ସେନେଇ ଟିମ୍ ସଦସ୍ୟ ବୁଝିବେ।ଏଥିସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଫୋନି’କୁ ନେଇ କ’ଣ କ’ଣ ସବୁ ପ୍ୟାକେଜ୍ ଘୋଷଣା କରାଯାଇଛି, ସେସବୁର ବି ସବିଶେଷ ତଥ୍ୟ ମଧ୍ୟ ଟିମ୍ ନେବ।
ଏସ୍ଆର୍ସିଙ୍କ ସହ ଆଲୋଚନା ପରେ କେନ୍ଦ୍ରୀୟ ଟିମ୍ କ୍ଷେତ୍ର ପରିଦର୍ଶନରେ ଯିବେ। ଗୋଟିଏ ଟିମ୍ ପୁରୀ ଏବଂ ଆଉ ଏକ ଟିମ୍ ଅନ୍ୟ ଜିଲ୍ଲା ପରିଦର୍ଶନରେ ଯିବେ। କଟକ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲିବା ପରେ ୧୫ ତାରିଖରେ ଟିମ୍ ସଦସ୍ୟ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ବୁଲି ଦେଖିବେ।
୩ ଦିନର କ୍ଷେତ୍ର ପରିଦର୍ଶନ ପରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରାଯିବ। ଏହା ପରେ ଦିଲ୍ଲୀ ଫେରି ଯାଇ କେନ୍ଦ୍ର ସରକାରଙ୍କୁ କେନ୍ଦ୍ରୀୟ ଟିମ୍ ରିପୋର୍ଟ ପ୍ରଦାନ କରିବେ।