ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଯୋଗୁ ୩୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ନୂଆ ୧୦୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପରେ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୪୫୨କୁ ବୃଦ୍ଧି ହୋଇଛି। ସେହିଭଳି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୮୩୫ରେ ପହଞ୍ଚିଛି।
ସେଥିରୁ ୧୧ ହଜାର ୬୧୬ ଜଣଙ୍କ ଚିକିତ୍ସା ହେଉଥିବା ବେଳେ ୧୭୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିନ୍ତୁ ଦେଶ ପାଇଁ ଆସିଛି ଆଶ୍ୱାସନାର ଖବର। ଦେଶରେ କରୋନା ଆକ୍ରାନ୍ତଙ୍କ ଦ୍ୱିଗୁଣିତ ହାର ଅର୍ଥାତ ଡବଲିଂ ପରିମାଣ କମିଛି। ପୂର୍ବରୁ ତିନି ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ବଢୁଥିଲା।
ହେଲେ ଏବେ ୬ ଦିନରୁ ଅଧିକ ଅର୍ଥାତ୍ ୬.୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ହେଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ୍ ଏହି ସୂଚନା ଦେବା ସହ ଲକଡାଉନ୍ ପରେ ପରିସ୍ଥିତିରେ ସୁଧାର ଆସିଛି ବୋଲି କହିଛନ୍ତି।
ଏପରିକି ଓଡ଼ିଶା ସମେତ ୧୯ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଡବଲିଂ ପରିମାଣ ଜାତୀୟ ହାର୍ ଅପେକ୍ଷା କମ ରହିଛି। ଓଡ଼ିଶା ବ୍ୟତିତ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ୟୁପି ଏବଂ ପଞ୍ଜାବ ଭଳି ରାଜ୍ୟ ଏହି ତାଲିକାରେ ଅଛନ୍ତି।