କାଳିଆ ଯୋଜନାରେ ଲକ୍ଷେ ଟପିଲା ଅଯୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: କାଳିଆ ଯୋଜନାରେ ଲକ୍ଷେ ଟପିଲା ଅଯୋଗ୍ୟଙ୍କ ସଂଖ୍ୟା । ଆଜି ବିଧାସନଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, କାଳିଆ ଯୋଜନା ବାବଦରେ ପୂରା ତଥ୍ୟ ଦେବାପାଇଁ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରଶ୍ନ କରିଥିଲେ। କୃଷକଙ୍କ ଜୀବିକା ଓ ଆୟ ବୃଦ୍ଧି ନିମନ୍ତେ କାଳିଆ ଯୋଜନା ହିତାଧିକାରୀ ଚୟନରେ ତୃଟି ଯୋଗୁଁ ପାଖାଖାପି ୨ ଲକ୍ଷ୯୧ ହଜାର ୮୮୦ ପରିବାର ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। କେତେଜଣ ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନା ଟଙ୍କା ମିଳିବାରୁ ରାଜକୋଷରୁ ଅର୍ଥ ବରବାଦ ହୋଇଛି ? ଏହାସହ  ଭୁଲ ବ୍ୟାଙ୍କ ଆକାଉଣ୍ଟ ନମ୍ବର ପାଇଁ ଅନେକ ଯୋଗ୍ୟ ହିତାଧିକାରୀ  ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଆଉ ଏସବୁ ଅନିୟମିତତା ପାଇଁ କେଉଁ ଅଫିସରଙ୍କୁ ଉତ୍ତରଦାୟୀ କରାଯାଇଛି, ସେ ସମ୍ପର୍କରେ ଗୃହରେ ତଥ୍ୟ ଦେବା ପାଇଁ ଗୃହରେ କୃଷିମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିଜେଡ଼ି ବିଧାୟକ।

 

ଏହାର ଉତ୍ତରରେ କୃଷି ମନ୍ତ୍ରୀ  କହିଛନ୍ତି, କାଳିଆରେ ବର୍ତ୍ତମାନ ସୁଦ୍ଧା  ୧୦୪୦୭୬ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ଏବଂ  ୫୬,୧୪,୭୦୭ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯାଇଛି । କୌଣସି  ହିତାଧିକାରୀ ଯେପରି DBT ଜରିଆରେ ସହାୟତା ପାଇବାରକୁ ବଞ୍ଚିତ ନହୁନ୍ତି, ସେଥିପାଇଁ କାଳିଆ ଯୋଜନାରେ ଆଧାର ଭିତ୍ତିକ ଓ ବ୍ୟାଙ୍କ ଆକାଉଣ୍ଟ ଭିତ୍ତିକ ଅର୍ଥରାଶି ପଠାଯାଉଛି। ବର୍ତ୍ତମାନ ଏହି ଯୋଜନାରୁ ବାଦ ପଡ଼ିଯାଇଥିବା ଚାଷୀଙ୍କ ପାଇଁ ଅନଲାଇନ୍ ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯାଉଛି। ଅନିୟମିତତାକୁ ଦୃଷ୍ଟିରେ ରଖି ସେହି ଆବେଦନ ପତ୍ର ଗୁଡ଼ିକ ଆଞ୍ଚଳିକ ଓ ରାଜ୍ୟ ସ୍ତରରେ ଯାଂଚ କରାଯିବ, ଆଉ ତା’ ପରେ ପ୍ରକୃତ ହିତାଧିକାରୀ ଚୟନ କରାଯିବ ବୋଲି କୃଷିମନ୍ତ୍ରୀ ଗୃହରେ ସ୍ପଷ୍ଟ କରିଛନ୍ତି।

 

 

 

ସେହିପରି କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ସୁଦ୍ଧା ୩୬ଲକ୍ଷ ୫୦ ହଜାର ୮୭୩ ଜଣ କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀ ଓ ୧୭ ଲକ୍ଷ ୪ ହଜାର ୭୩୩ ଜଣ  ଭୂମିହୀନ ଚାଷୀ ପରିବାର ଉପକୃତ ହୋଇଛନ୍ତି। ଯେଉଁମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିନାହାନ୍ତି କାଳିଆ ୱେବ ପୋର୍ଟାଲରେ ଆବଶ୍ୟକ ଦସ୍ତାବିଜ ସହ ଅନଲାଇନରେ ଆବେଦନ କରିପାରିବେ ବୋଲି ବିଧାୟକ ପ୍ରଫୁଲ ସାମଲଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ କହିଛନ୍ତି ।

 

You might also like