କୋରାପୁଟ: ପୁଣି ଜନନୀ ଯନ୍ତ୍ରଣା। ଦୁର୍ଗମ ରାସ୍ତା.. ପ୍ରସବ ବେଦନା...ଅଧାବାଟରେ ଆମ୍ବୁଲାନ୍ସ ଅଟକିଯିବା...ଯେମିତି ନିତିଦିନିଆ ଘଟଣା ଏଠି। ହେଲେ ପ୍ରଶାସନ ସବୁବେଳେ ନୀରବ। ଏମିତି ଏକ ଘଟଣାର ପୁନରାବୃତ୍ତି ଘଟିଛି କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ପଞ୍ଚାୟତରେ।
କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ପଞ୍ଚାୟତ ତଳସେମ୍ବି ଗାଁର ମୁକେୟା ହରଡାଙ୍କ ପତ୍ନୀ ଗୁଣ୍ଡୁଲି ଗତକାଲି ପ୍ରସବ ବେଦନାରେ ଛଟପଟ ହେଉଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବା ପାଇଁ ପରିବାର ଲୋକ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ତେବେ କୌଣସି କାରଣରୁ ଆମ୍ବୁଲାନ୍ସଟି ଅଧାବାଟରୁ ଫେରି ଯାଇଥିଲା। ଶେଷରେ ପରିବାର ଲୋକ ଏକ କମାଣ୍ଡର ଗାଡିରେ ତାଙ୍କୁ ପଟ୍ଟାଙ୍ଗି ମେଡିକାଲ ନେଇଥିଲେ।
ଅଧାବାଟ ଯିବାପରେ ଯନ୍ତ୍ରଣା ଅସହ୍ୟ ହୋଇଥିଲା। ଖବର ପାଇ ସ୍ଥାନୀୟ ଏଏନ୍ଏମ୍ ଓ ଅଙ୍ଗନବାଡି କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଡ଼ିରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପରେ ଉଭୟଙ୍କୁ ମେଡିକାଲକୁ ନିଆଯାଇଥିଲା। ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା କୁହାଯାଉଛି ।
ମା’ ଓ ଶିଶୁର ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଛନ୍ତି। ହେଲେ ୧୦୨ ଆମ୍ବୁଲାନ୍ସର ଅବହେଳା, ରାସ୍ତାରେ ପ୍ରସବ..ଆଦି ଘଟଣା ନିୟମିତ ଘଟୁଥିବାବେଳେ ସରକାରଙ୍କ ଏଇ ଯୋଜନା କେଉଁଠି କାର୍ଯ୍ୟକାରୀ ହେଉଛି ସେ ନେଇ ପ୍ରଶ୍ନ ଉଠିଛି।