ସହରାଞ୍ଚଳ ଗରିବଙ୍କ ପାଇଁ ୧୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସହରାଞ୍ଚଳର ଗରିବ ଲୋକଙ୍କ ପାଇଁ ବଡ଼ ଘୋଷଣା। ସହରାଞ୍ଚଳର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଘୋଷଣା ହେଲା ୧୦୦ କୋଟି ଟଙ୍କାର ପ୍ୟାକେଜ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏନେଇ ଘୋଷଣା ହୋଇଛି।  URBAN WAGE EMPLOYMENT INITIATIVE ନାମକ ଶ୍ରମ ଭିିତ୍ତିକ ଯୋଜନାରେ ଜରୁରୀକାଳୀନ କାର୍ଯ୍ୟକ୍ରମ ଭାବେ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି।

ଏହି ଯୋଜନାରେ ୧୧୪ଟି ପୌରାଞ୍ଚଳର ୪ ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ। ଏହି ଯୋଜନାରେ ଶ୍ରମିକ, ଗରିବଲୋକ ଓ ଦିନ ମଜୁରିଆ ଶ୍ରେଣୀର ଲୋକଙ୍କ ପାଇଁ ଜୀବିକା ଯୋଗାଇ ଦିଆଯିବ। ଚଳିତ ଏପ୍ରିଲ ମାସରୁ ସେପ୍ଟେମ୍ବେର ମାସ ଯାଏ ଏହା ଚାଲିବ। ମିଶନ ଶକ୍ତିର ସହାୟତା ଓ ସହଭାଗିତାରେ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ମଜୁରୀ ପ୍ରତି ସପ୍ତାହରେ ସେମାନଙ୍କ ବ୍ୟାଙ୍କ ଅକାଉଣ୍ଟକୁ ସିଧାସଳଖ ପଠାଯିବ।

ଏହି ଯୋଜନାରେ ସହରାଞ୍ଚଳରେ ଅନେକ ଶ୍ରମଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଥିରେ ଡ୍ରେନ୍‌ଗୁଡ଼ିକର ସଫେଇ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁର ସଫେଇ, ଜଳାଶୟ ଖନନ ଓ ନବୀକରଣ, ପାର୍କ, ଖେଳପଡ଼ିଆ ଓ ଅନ୍ୟାନ୍ୟ ଖୋଲା ସ୍ଥାନଗୁଡ଼ିକର ଉନ୍ନତୀକରଣ କାର୍ଯ୍ୟ ରହିଥିବା  ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

You might also like