ଓଡ଼ିଶାର ଶତାୟୁ ବୃଦ୍ଧାଙ୍କ ଘରେ ବ୍ୟାଙ୍କ ସେବା ପହଞ୍ଚାଇଲା IPPB

ନୂଆଦିଲ୍ଲୀ: ଟଙ୍କା ଉଠାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଓଡ଼ିଶାର ନୂଆପଡ଼ାର ଜଣେ ବୃଦ୍ଧା ମହିଳାଙ୍କୁ ସହାୟତାର ହାତ ବଢ଼ାଇଲା ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ। ବ୍ୟାଙ୍କ ପକ୍ଷରୁ ତାଙ୍କର ଏକ ନୂଆ ଖାତା ଖୋଲାଯାଇଛି। ଏହାଫଳରେ ବୃଦ୍ଧାଜଣକ ମହିଳାଜଣଙ୍କ ଘରେ ରହି ଆଧାର କାର୍ଡ ସହାୟତାରେ ଟଙ୍କା ଉଠାଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

କିଛିଦିନ ତଳେ ଟଙ୍କା ଉଠାଣ ପାଇଁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବରଗାଁର ଜଣେ ୧୨୦ ବର୍ଷ ବୟସ୍କା ମହିଳାଙ୍କୁ ତାଙ୍କ ଝିଅ ଖଟିଆରେ ଟାଣି ଟାଣି ବ୍ୟାଙ୍କ୍‌ ନେଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା।

ଭିଡିଓ ଭାଇରାଲ୍ ହେବା ପରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ପରିବାରକୁ ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ମନ୍ତ୍ରୀ ଟ୍ୱିଟ୍ କରି  କହିଥିଲେ, “ ଓଡ଼ିଶାର ଜଣେ ଶତାୟୁ ମହିଳା ବ୍ୟାଙ୍କର ଟଙ୍କା ଉଠାଇବା ପାଇଁ ହଇରାଣ ହୋଇଥିବା ଖବର ଜାଣିବାକୁ ପାଇଛି। ମହିଳାଙ୍କୁ ସହଯୋଗ କରିବା ପାଇଁ IPPB ତାଙ୍କର ଏକ ନୂଆ ଆକାଉଣ୍ଟ ଖୋଲିଛି। ବର୍ତ୍ତମାନ ସେ ସହଜରେ ଆଧାର ଏନବଲ୍ଡ ପେମେଣ୍ଟ ସାହାଯ୍ୟରେ ଘରେ ଥାଇ ଟଙ୍କା ଉଠାଇ ପାରିବେ।”

ସୂଚନା ଥାଉକି, ଆପିପିବି ହେଉଛି ସରକାରୀ ମାଲିକାନା ସତ୍ତ୍ୱଥିବା ଏକ ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ।

 

You might also like