ନାସା ଯିବେ ୧୦ ଓଡ଼ିଆ କୁନି ବୈଜ୍ଞାନିକ

'ନାସା' ଯିବେ ୧୦ ଓଡ଼ିଆ କୁନି ବୈଜ୍ଞାନିକ

  • ନାସା ଯିବେ ୧୦ ଓଡ଼ିଆ  କୁନି ବୈଜ୍ଞାନିକ
  • ଲୁନାର ରୋଭର ପ୍ରକଳ୍ପ ପାଇଁ ମନୋନୀତ
  • କଟକ ନବୋନ୍ମେଷ ଫାଉଣ୍ଡେସନରେ ଗବେଷଣାରତ ୧୦ ଛାତ୍ରଛାତ୍ରୀ
  • ୮୬ଟି ଦେଶ ଭିତରୁ ଭାରତ ଲାଗି ପ୍ରତିନିଧିତ୍ୱ କରିବ ଓଡ଼ିଶା

କଟକ (ବିଶ୍ୱଜିତ୍ ଆଚାର୍ଯ୍ୟ): ଆମେରିକୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ନାସା ଯିବେ ୧୦ ଓଡ଼ିଆ ଛାତ୍ରଛାତ୍ରୀ। ନିଜ ପ୍ରକଳ୍ପ ଲୁନାର ରୋଭର ପାଇଁ ନାସା ଦ୍ୱାରା ଆୟୋଜିତ ହ୍ୟୁମାନ ଏକ୍ସପ୍ଲୋରେସନ୍ ରୋଭର ଚ୍ୟାଲେଞ୍ଜରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି କୁନି ବୈଜ୍ଞାନିକଙ୍କ ଟିମ୍। କଟକ ବୟାଳିଶ ମୌଜାରେ ନବୋନ୍ମେଷ ଫାଉଣ୍ଡେସନରେ ଗବେଷଣା କରୁଥିବା କିଛି ଛାତ୍ରଛାତ୍ରୀ ୧୯ ବର୍ଷରୁ କମ୍ ବୟସ ବର୍ଗରେ ପୁରା ଦେଶକୁ ପ୍ରତିନିଧିତ୍ୱ କରୁଥିବା ବେଳେ ଏବଂ ଓଡ଼ିଶାରୁ ପ୍ରଥମ ଥର ପାଇଁ ନାସା ଯାଉଛି ଏଭଳି ଟିମ୍।

ପୂରଣ ହେବ ସୁଦୀର୍ଘ ସ୍ୱପ୍ନ, ଆଉସଫଳ ହେବ ଲମ୍ବା ମିଶନ। ଆମେରିକୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ନାସାକୁ ଯିବ କୁନି କୁନି ପିଲାଙ୍କ ହାତରେ ଗଢ଼ାଯାଉଥିବା ମେସିନ୍। ସାଇକେଲ ଭଳି ଦେଖାଯାଉଥି ଯାନର ନାଁ ଲୁନାର ରୋଭର। କଟକ ବୈୟାଳିଶ ମୌଜାର ନବୋନ୍ମେଷ ପ୍ରସାର ଫାଉଣ୍ଡେସନ୍ ସଂସ୍ଥାରେ ଏମିତି ଯାନ ନିର୍ମାଣ ଲାଗି ଚାଲିଛି ଅହରହ ଗବେଷଣା ଆଉ ପରୀକ୍ଷା ଓ ନିରୀକ୍ଷା।

ତେବେ ଲୁନାର ରୋଭର ପ୍ରକଳ୍ପର ନିର୍ଦେଶକ କହିଛନ୍ତି ଯେ, ଏହା ଏକ ସ୍ୱତନ୍ତ୍ର ଲୁନାର ରହିଛି। ଏହା ଉପରେ ଛାତ୍ରଛାତ୍ରୀମାନେ ବହୁତ ପରିଶ୍ରମ କରିଛନ୍ତି।

ରାଜ୍ୟର ୧୦ ଜଣ ପ୍ରତିଭାବାନ ବିଜ୍ଞାନ ଅନୁସନ୍ଧିତ୍ସୁ ପିଲାଙ୍କୁ ଏକାଠି କରି ଏ ସଂସ୍ଥା ତିଆରି କରୁଛି ଏଭଳି ମହାତ୍ୱାକାଂକ୍ଷି ପ୍ରକଳ୍ପ। ନାସା ଦ୍ୱାରା ଆୟୋଜିତ ‘ହ୍ୟୁମାନ ଏକ୍ସପ୍ଲୋରେସନ୍ ରୋଭର ଚ୍ୟାଲେଞ୍ଜ୍’ ଲାଗି ମନୋନୀତ ହୋଇଛି ସଂସ୍ଥାର ଏ ପ୍ରୋଜେକ୍ଟ। ତେଣୁ ପ୍ରକଳ୍ପରେ ସାମିଲ ଥିବା ସବୁ ପିଲା ନାସା ଯିବାକୁ ଥିବାରୁ ଏମାନଙ୍କ ଭିତରେ ଏବେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି।

୨୦୨୪ରେ ନାସା ତାର ପରବର୍ତ୍ତି ଚନ୍ଦ୍ର ଅଭିଯାନ ଲାଗି ବିଭିନ୍ନ ଦେଶର ଛାତ୍ରଛାତ୍ରୀଙ୍କଠାରୁ ଭିନ୍ନ ଭିନ୍ନ ମଡେଲ ଆହ୍ୱାନ କରିଛି। ୧୯ ବର୍ଷରୁ କମ୍ ବୟସ ବର୍ଗରେ ଓଡ଼ିଶା ପିଲାଙ୍କ ଏ ଲୁନାର ରୋଭର ଭଳି ନାସା ପ୍ରତିଯୋଗିତାରେ ସାରା ବିଶ୍ୱରୁ ୮୬ଟି ପ୍ରୋଜେକ୍ଟ ସାମିଲ ହେଉଛି। ଓଡ଼ିଶାରୁ ପ୍ରସ୍ତୁତ ହେଉଥିବା ଏ ଲୁନାର ରୋଭରର ସ୍ୱତନ୍ତ୍ରତା ହେଉଛି, ଏହି ଯାନ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରେ, ଅତି ସହଜରେ ଦୁଇଜଣ ବୈଜ୍ଞାନିକଙ୍କୁ ପରିବହନ କରିପାରିବ। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏ ଯାନରେ କେବଳ ସାଇକେଲ, ଅଟୋ, ବାଇକ୍ ଓ କାରରେ ବ୍ୟବହୃତ କିଛି ସାଧାରଣ ସାମଗ୍ରୀର ବ୍ୟବହାର କରାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏହି ଅଭିଯାନରେ ଏମିତି ୨ ଜଣ ଛାତ୍ରଛାତ୍ରୀ ଭାଗ ନେଉଛନ୍ତି ଯାହାଙ୍କ ସମ୍ପର୍କରେ ଜାଣିଲେ ଆପଣ ବି ଖୁସି ହେବେ। ଅଭିଯାନରେ ମୟୂରଭଞ୍ଜର ଜଣେ ଛାତ୍ର ଯିଏକି ବାପାଙ୍କୁ ସାଇକେଲ ଦୋକାନ ମରାମତିରେ ସହାୟତା କରୁଛନ୍ତି, ସେ ନିଜେ ଏହି ଅଭିଯାନରେ ସାମିଲ ହେଉଥିବା ସମୟରେ ଅନ୍ୟପଟେ, ପରିବାରର ଆର୍ଥିକ ଅନଟନକୁ ସହି ନପାରି ରାଜଧାନୀ ରାସ୍ତାକଡ଼ରେ ୱେଲଡିଂ ଦୋକାନରେ କାମ କରୁଥିବା ଜଣେ ଗରିବ ମେଧାବୀ ଛାତ୍ରୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

ଲୁନାର ରୋଭର ପାଇଁ ଏହି ୧୦ ଜଣିଆ ଟିମ୍ ଗତ ଡିସେମ୍ବରରୁ ଆରମ୍ଭ କରିଛନ୍ତି କାମ। ପ୍ରକଳ୍ପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା ଏପ୍ରିଲ ୧୦ରେ ଏହି ଟିମ୍ ଯାନ ସହ ‘ନାସା’ ଯିବା କାର୍ଯ୍ୟକ୍ରମ ରହିଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ପଢନ୍ତୁ : ଓଡ଼ିଶାରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ବଜ୍ରପାତ ଗବେଷଣା କେନ୍ଦ୍ର: ଜାଣନ୍ତୁ କେଉଁଠି?

You might also like