ଘାତକ ସାଜିଲା ଘାଟି ; ପୁଣି ୧୦ ଜୀବନ ନେଲା ସଡ଼କ ଦୁର୍ଘଟଣା

କନ୍ଧମାଳ  : ଘାତକ ସାଜିଲା ଘାଟି। କନ୍ଧମାଳ ବ୍ରାହ୍ମଣୀଗାଁ ନିକଟ ବଙ୍ଗଡ଼ଦୁଆ ଘାଟିରୁ ଖସିଲା ମିନି ଟ୍ରକ୍। ମର୍ମନ୍ତୁଦ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି।

୨୫ରୁ ଅଧିକ ଆହତଙ୍କ ଚିକିତ୍ସା ଏମ୍‌କେସିଜି ମେଡିକାଲରେ ଚାଲିଛି। ମୃତାହତଙ୍କ ମଧ୍ୟରେ ବୃଦ୍ଧ ଏବଂ ଶିଶୁଙ୍କ ସଂଖ୍ୟା ଅଧିକ। ସୂଚନା ଅନୁସାରେ ସକାଳେ ମିନି ଟ୍ରକ୍‌ଟି ଦାରିଙ୍ଗିବାଡ଼ିରୁ ବ୍ରାହ୍ମଣୀଗାଁକୁ ଯାଉଥିଲା।

ଏକ ଚର୍ଚ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରାୟ ୫୦ଜଣ ଯାତ୍ରୀ ଯାଉଥିଲେ। ତେବେ ବ୍ରାହ୍ମଣୀ ଗାଁର ମାତ୍ର ୧ କିଲୋମିଟର ପୂର୍ବରୁ ହଠାତ୍ ମିନିଟ୍ରକ୍‌ଟି ଭାରସାମ୍ୟ ହରାଇ ଘାଟିରୁ ୪୦ ଫୁଟ୍ ତଳକୁ ଖସି ପଡିଥିଲା। ଦୁର୍ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ସହ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇବାକୁ ଘୋଷଣା କରିଛନ୍ତି।

ସେପଟେ କିନ୍ତୁ ଆଜିର ଦୁର୍ଘଟଣାକୁ ନେଇ ଓଲଟା ଲୋକଙ୍କ ଉପରେ ଦୋଷ ଲଦିଛନ୍ତି ପରିବହନ ମନ୍ତ୍ରୀ ନୃସିଂହ ସାହୁ । ସଚେତନତା ଅଭାବରୁ ଏଭଳି ଦୁର୍ଘଟଣା ହେଉଛି ବୋଲି କହି ନିଜ ମୁଣ୍ଡରୁ ଦୋଷ ଛଡ଼ାଇଛନ୍ତି ମନ୍ତ୍ରୀ।

ତାସହ ଦୁର୍ଘଟଣା ସଂପର୍କରେ ଆର୍‌ଟିଓଙ୍କ ସହ ଆଲୋଚନା ହୋଇଛି  ଓ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ତେଣେ ରାଜ୍ୟକୁ ଏବେ ପଡିଛି ସଡ଼କ ଦୁର୍ଘଟଣା ବିପତ୍ତି। ଗତକାଲି ଗୋଟିଏ ଦିନରେ ଚୌଦ୍ୱାରରେ ବସ୍ ଦୁର୍ଘଟଣା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଛୋଟବଡ଼ ସଡ଼କ ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଆଜି ପୁଣି ଅକାଳରେ ଚାଲିଗଲା ୧୦ ଜୀବନ। ଜାତୀୟ ହାର ତୁଳନାରେ ଓଡ଼ିଶାରେ ଦୁର୍ଘଟଣାଜନିତ ମୃତ୍ୟୁ ଉଦ୍‌ବେଗଜନକ ବୋଲି ସଡ଼କ ସୁରକ୍ଷା ରିପୋର୍ଟରେ ଦର୍ଶାଯାଇଛି।

ପ୍ରତି ୧୦୦ଟି ଦୁର୍ଘଟଣାରେ ଜାତୀୟସ୍ତରରେ ମୃତ୍ୟୁ ସଂଖ୍ୟା ୨୯.୭୮ ହୋଇଥିବା ବେଳେ ଓଡ଼ିଶାରେ ଏହା ୪୬। କେବଳ ୨୦୧୭ରେ ରାଜ୍ୟରେ ୪ ହଜାର ୭୯୦ ଲୋକଙ୍କ ପ୍ରାଣ ଯାଇଥିବାବେଳେ ୧୧ ହଜାର ଆହତ ହୋଇଛନ୍ତି।

ତା ମଧ୍ୟରୁ ୩୫ ପ୍ରତିଶତ ଟୁହ୍ୱିଲର ଦୁର୍ଘଟଣା। ଏମିତିକି ଓଡ଼ିଶାରେ ଉଦ୍‌ବେଗଜନକ ରାସ୍ତା ଦୁର୍ଘଟଣାକୁ ଦେଖି ସୁପ୍ରିମ୍‌କୋର୍ଟ ଏ ହାର ୧୦ ପ୍ରତିଶତ ମଧ୍ୟରେ ସୀମିତ ରଖିବା ଲାଗି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ବି ତାହା ଫଳପ୍ରଦ ହେଉନି।

You might also like